ଅଭିଯୁକ୍ତକୁ ଗିରଫ ପାଇଁ ଏମ୍‌ସ ଭିତରକୁ ପଶିଲା ପୁଲିସ୍‌ ଭ୍ୟାନ୍‌

ଡେରାଡୁନ୍‌: ଋଷିକେଶ- ଜାତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ୍‌)ର ବହିଃ ଚିକିତ୍ସା ପ୍ରକୋଷ୍ଠ ଭିତରକୁ ଏକ ପୁଲିସ ଜିପ୍‌ ଧସେଇ ପଶିଥିଲା। ପ୍ରକୋଷ୍ଠରେ ଅପେକ୍ଷା କରି ରହିଥିବା ଶତାଧିକ ରୋଗୀ ଓ ସମ୍ପର୍କୀୟ ଏଥିରେ ହତବାକ୍‌ ହୋଇଯାଇଥିଲେ। ପୁଲିସର ଏଭଳି ଦାଦାଗିରି ଭିଡିଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଋଷିକେଶ-ଏମ୍‌ସରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ଗିରଫ କରିବାକୁ ଉତ୍ତରାଖଣ୍ଡ ପୁଲିସ୍‌ ଫିଲ୍ମ ଷ୍ଟାଇଲ୍‌ରେ ଏଭଳି କାର୍ଯ୍ୟ କରିଛି।

ଅଭିଯୋଗ ଅନୁସାରେ, ମହିଳା ଡାକ୍ତର ବାଦିନୀଙ୍କୁ ହସ୍‌ପିଟାଲ୍‌ର ନର୍ସିଂ ଅଧିକାରୀ ସତୀଶ କୁମାର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ସେ ବାଦିନୀଙ୍କୁ ନିୟମିତ ଭାବେ ଅଶ୍ଲୀଳ ଏସ୍‌ଏମ୍‌ଏସ୍‌ ପଠାଉଥିଲେ। ଏହି ଘଟଣାରେ ପୁଲିସ ମଙ୍ଗଳବାର ସତୀଶଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସତୀଶଙ୍କୁ ଜାମିନ ମିଳିଛି। ତେବେ ସତୀଶଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ବାହିନୀ ଯେଭଳି ନାଟକୀୟ ଭାବେ ଭ୍ୟାନ୍‌ ନେଇ ହସ୍ପିଟାଲ ପ୍ରକୋଷ୍ଠକୁ ପଶିଲେ ତାହାକୁ ବିଭିନ୍ନ ମହଲ ତୀବ୍ର ସମାଲୋଚନା କରିଛନ୍ତି। ଏହାପରେ ବରିଷ୍ଠ ପୁଲିସ ଅଧିକାରୀ ଶଙ୍କର ସିଂହ ବିଷ୍ଟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପୁଲିସ ଭ୍ୟାନ୍‌ ପ୍ରବେଶ କରିଥିବା ଅଞ୍ଚଳ ବହିଃ ବିଭାଗ କିମ୍ବା ଜରୁରୀକାଳୀନ ବିଭାଗ ନୁହେଁ, ବରଂ ଅପେକ୍ଷା ପ୍ରକୋଷ୍ଠ। ପ୍ରାଥମିକ ତଦନ୍ତରେ ଅଭିଯୁକ୍ତକୁ ନେବା ପାଇଁ ଭ୍ୟାନ୍‌ଟି ଜରୁରୀକାଳୀନ ରାସ୍ତା ବ୍ୟବହାର କରିଥିଲା। ତେବେ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ଏମ୍‌ସର ଡାକ୍ତର ଓ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର