କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କୋଲକାତା : ପ୍ରସିଦ୍ଧ ଗାୟକ କେକେଙ୍କ ମୃତ୍ୟୁ ଘଟଣା‌ର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଏହି ଆବେଦନ କରିଛନ୍ତି। ସୋମବାର ଅପରାହ୍‌ଣରେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ରାଜର୍ଶୀ ଭରଦ୍ବାଜ ଉକ୍ତ ଜନସ୍ବାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

କେକେ ସଙ୍ଗୀତ ପରିବେଶ କରିବା ଦିନ ନଜରୁଲ ମଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା ହୋଇଥିଲା। ସ୍ଥାନୀୟ ପ୍ରଶାସନ ଏହାକୁ ଧ୍ୟାନ ଦେଇ ନଥିଲା। ତେଣୁ ଅବ୍ୟବସ୍ଥାକୁ ଚିହ୍ନଟ କରିବା ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ଗୁରୁଦାସ କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସେ ସଙ୍ଗୀତ ପରିବେଷଣ କରିଥିଲେ।

ଆୟୋଜକଙ୍କ ଦାୟିତ୍ବହୀନତା କାରଣରୁ କେକେଙ୍କ ମୃତ୍ୟୁ ହୋଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଉପସଭାପତି ସୌମିତ୍ର ଖାନ୍‌ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ସାରିଛନ୍ତି। ଭରପୂର ଗହଳି ଥିବା ସଙ୍ଗୀତ ସମାରୋହରେ ଗୀତ ଗାଇବା ସମୟରେ କେକେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହୋଟେଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା‌ରେ ପୁଲିସ ଏକ ଅପମୃତ୍ୟୁ ମାମଲା‌ ରୁଜୁ କରିଥିବା ବେଳେ ତଦନ୍ତରେ ପୁଲିସର କାର୍ଯ୍ୟଶୈଳୀକୁ ସନ୍ଦେହ କରି ସିବିଆଇ ତଦନ୍ତ ଦାବି କରାଯାଇଛି।

ସମ୍ବନ୍ଧିତ ଖବର