ମୋହେ: ଚଳିତ ସପ୍ତାହରେ ଚୀନ୍ର ତୁକିଆଙ୍ଗ ପ୍ରଦେଶ ଅନ୍ତର୍ଗତ ମୋହେ ସହର ଆକାଶରେ ସକାଳେ ଏକକାଳୀନ ତିନିଟି ସୂର୍ଯ୍ୟ ଦେଖାଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଶ୍ବ ତମାମ ଆଲୋଚନାର ବିଷୟ ପାଲଟିଛି। ସକାଳ ସାଢ଼େ ୬ଟାରୁ ସାେଢ଼ ୯ଟା ଯାଏ ରହିଥିବା ଏହି ମହାଜାଗତିକ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ଜଣେ ମୋହେ ସହରବାସୀ ଛାଡ଼ିଥିବା ଏହି ଭିଡିଓରେ ନୀଳ ଆକାଶରେ ବାସ୍ତବ ସୂର୍ଯ୍ୟର ଦୁଇ ପାର୍ଶ୍ବରେ ଏକ ସରଳରେଖାରେ ଅବସ୍ଥିତ ଦୁଇଟି ଆଭାସୀ ସୂର୍ଯ୍ୟ ଜାଜୁଲ୍ୟମାନ ହେଉଥିବା ଦେଖାଯାଇଛି। ତେବେ ଏ ପ୍ରକାର ଅସ୍ବାଭାବିକ ଦୃଷ୍ଟିଭ୍ରାନ୍ତି ଆଣିଥିବା ପ୍ରାକୃତିକ ପ୍ରକ୍ରିୟାକୁ ‘ସନ୍ଡଗ୍’ କୁହାଯାଏ ଯାହା କି ସାଧାରଣତଃ ସୂର୍ଯ୍ୟ ବଳୟରେ ହିଁ ଦୃଶ୍ୟମାନ ହୋଇଥାଏ। ବାୟୁକଣାରେ ଝୁଲି ରହିଥିବା ତୁଷାର ସ୍ଫଟିକ ଦେଇ ସୌରରଶ୍ମି ଅତିକ୍ରମ କଲା ବେଳେ ଏଭଳି ପ୍ରାକୃତିକ ପ୍ରକ୍ରିୟା ସଂପନ୍ନ ହୋଇଥାଏ ବୋଲି ବିଜ୍ଞାନ ପତ୍ରିକା ଲାଇଭ୍ ସାଇନ୍ସରେ କୁହାଯାଇଛି। ବିଶେଷ କରି ସୂର୍ଯ୍ୟାଲୋକ ଗୋଟିଏ ଥାଳିଆ ଆକୃତିର ତୁଷାର ସ୍ଫଟିକ ଖଣ୍ଡରୁ ନିର୍ଗତ ହୋଇ ତାହା ସହ ୬୦ ଡିଗ୍ରି କୋଣରେ ଆନତ ଅନ୍ୟ ଏକ ଅନୁରୂପ ତୁଷାର ସ୍ଫଟିକରେ ଆପତିତ ହେଲେ ଏଭଳି ପ୍ରଭାମଣ୍ଡଳ ସୃଷ୍ଟି ହୁଏ ବୋଲି ନାସା କହିଛି। ଏହି ପ୍ରକ୍ରିୟା ଯୋଗୁଁ ବେଳେ ବେଳେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟର ବାମ କିମ୍ବା ଡାହାଣ ପାର୍ଶ୍ବକୁ ଇନ୍ଦ୍ରଧନୁ ରଙ୍ଗର ଆଭା ଦେଖାଦେଇଥାଏ ।
ଚୀନ୍ ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ, ଏକାବେଳକେ ଦେଖାଗଲା ତିନିଟି ସୂର୍ଯ୍ୟ
/sambad/media/post_attachments/wp-content/uploads/2020/10/three-son-on-sky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)