ସିଓଲ: ଦକ୍ଷିଣ କୋରିଆର ଗୁମି ସିଟିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ରୋବଟ୍ କର୍ମଚାରୀ ପ୍ରବଳ କାର୍ଯ୍ୟ ଚାପରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବା ଘଟଣା ଦେଶବ୍ୟାପୀ ବିତର୍କ ସୃଷ୍ଟି କରିଛି। ଦକ୍ଷିଣ କୋରିଆର ଗୁମି ସିଟି କାଉନସିଲରେ ଉକ୍ତ ରୋବଟ୍ ଜଣେ ପ୍ରଶାସନିକ କର୍ମଚାରୀ ଭାବେ ଦାୟିତ୍ବ ତୁଲାଉଥିଲା। ଏବେ ଏହା ଆତ୍ମହତ୍ୟା କରିବା ପରେ ଏହି ଘଟଣାକୁ ଦେଶର ପ୍ରଥମ ‘ରୋବଟ୍ ଆତ୍ମହତ୍ୟା’ ବୋଲି ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଛି।

Advertisment

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିବା ପରେ ଏହାକୁ ସିଟି କାଉନ୍‌ସିଲ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରିଛନ୍ତି ଯେ ରୋବଟ୍‌ଟି ଅତି ଅଜବ ଆଚରଣ କରୁଥିଲା ଏବଂ ଏଣେତେଣେ ଘୂରି ବୁଲିବା ପରେ ନିଜକୁ ଅଚଳ କରିବା ଆରମ୍ଭ କରିଥିଲା। ଏହାପରେ ରୋବଟ୍‌ଟି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଥିଲା। ରୋବଟ୍‌ ଖଣ୍ଡଗୁଡ଼ିକୁ ବିଶ୍ଳେଷଣ ପାଇଁ ସଂଗ୍ରହ କରାଯାଇଛି। ରୋବଟ୍‌ର ଏଭଳି ସ୍ଥିତିର କାରଣ ଅସ୍ପଷ୍ଟ ରହିଥିଲେ ହେଁ ଏହି ଘଟଣା ରୋବୋଟ୍‌ର କାର୍ଯ୍ୟଚାପ ଏବଂ ଏହାର ପ୍ରଭାବ ବୋଲି ଅନେକ କହିଛନ୍ତି।

ସୂଚନାଯୋଗ୍ୟ, ଏହି ରୋବଟ୍‌ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅକ୍ଳାନ୍ତ ଭାବେ କାମ କରୁଥିଲା, ଯାହା କି ଏକ ବିରଳ କ୍ଷମତା। ଏହି ରୋବଟ୍‌କୁ କ୍ୟାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍ ‘ବେୟାର ରୋବୋଟିକ୍ସ ବିକଶିତ କରିଥିଲା। ଏହି ଘଟଣା ଆମ ସମାଜରେ ରୋବୋଟ୍‌ର ଭବିଷ୍ୟତ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଜଣେ ବିଶେଷଜ୍ଞ କହିଛନ୍ତି।