ନୂଆଦିଲ୍ଲୀ : ଜଣେ ରାଜ୍ୟପାଳ ସତର୍କତାର ସହିତ କ୍ଷମତାର ଉପଯୋଗ କରିବା ଆବଶ୍ୟକ। ଏଥିସହିତ ସଚେତନ ହେବା ଆବଶ୍ୟକ ଯେ ସେ ଆସ୍ଥା ଭୋଟ୍ ଡାକିବା ଦ୍ବାରା ଗୋଟିଏ ସରକାରର ପତନ ହୋଇପାରେ। ୨୦୨୨ରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି କଡ଼ା ଟିପ୍ପଣୀ ଦେଇଛନ୍ତି। ଏଥିସହିତ ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ଏକ ଶାସକ ଦଳରେ ବିଧାୟକଙ୍କ ଭିନ୍ନ ମତ ଏବଂ ଦଳରେ ଅସନ୍ତୋଷ ପାଇଁ କେବଳ ଗୃହରେ ଆସ୍ଥା ଭୋଟ୍ ଡକାଯାଇପାରିବନି। ଗୃହରେ ଆସ୍ଥା ଭୋଟ୍ ଡାକିବାପାଇଁ ଏତିକି କାରଣ ଯଥେଷ୍ଟ ନୁହେଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି, ଏହା ଗଣତନ୍ତ୍ର ପାଇଁ ଆଦୌ ଭଲ ନୁହେଁ। କେବଳ ଏକ ନିର୍ଦ୍ଦିଷ୍ଟ ଫଳ ପାଇଁ ରାଜ୍ୟପାଳ ତାଙ୍କ ଅଫିସକୁ ଅପବ୍ୟବହାର କରିପାରିବେନି। କେବଳ ବିଧାୟକଙ୍କ ମଧ୍ୟରେ ଭିନ୍ନ ମତ ପାଇଁ ରାଜ୍ୟପାଳ ଆସ୍ଥା ଭୋଟ୍ ଡକାଇପାରିବେନି। ଆସ୍ଥା ଭୋଟ୍ ଡାକିବା ଦ୍ବାରା ଏକ ନିର୍ବାଚିତ ସରକାର ଭାଙ୍ଗିଯାଏ ବୋଲି ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଜୁନ୍ରେ କୋଶୟାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ କହିଥିଲେ। କିନ୍ତୁ ଠାକ୍ରେ ଏହାପରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହାପରେ ଏକନାଥ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ଉପସ୍ଥିତ ରହି ଘଟଣା ଗୁଡ଼ିକୁ ବଖାଣିଥିଲେ। ରାଜ୍ୟପାଳ ଆସ୍ଥା ଭୋଟ୍ ଡାକିବାର ବିଭିନ୍ନ କାରଣ ସମ୍ପର୍କରେ ସେ କୋର୍ଟଙ୍କୁ ଅବଗତ କରିଥିଲେ। ଉଦ୍ଧବ ଠାକ୍ରେ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ୩୪ ଶିବସେନା ବିଧାୟକଙ୍କ ଦ୍ବାରା ସ୍ବାକ୍ଷର ହୋଇଥିବା ଏକ ଚିଠି ଏବଂ ସ୍ବାଧୀନ ବିଧାୟକଙ୍କ ଚିଠି ଏବଂ ବିରୋଧୀ ଦଳ ନେତା ଆସ୍ତା ଭୋଟ୍ ପାଇଁ ଦାବି କରିବାରୁ ରାଜ୍ୟପାଳ ଆସ୍ଥା ଭୋଟ୍ ଡକାଇଥିଲେ। ଏହାର ଉତ୍ତର ଦେଇ ଖଣ୍ଡପୀଠ କହିଥିଲେ ବିରୋଧୀ ଦଳ ନେତାଙ୍କ ଚିଠି ଏକ ପ୍ରସଙ୍ଗ ନୁହେଁ। ସୁରକ୍ଷା ପ୍ରତି ବିପଦ ଥିବା ନେଇ ବିଧାୟକମାନେ ଲେଖିଥିବା ଚିଠି ବି ଗୁରୁତ୍ବପୂର୍ଣ୍ଣ ନୁହେଁ। କେବଳ ଦଳୀୟ କ୍ୟାଡର ଏବଂ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଥିବା ନେଇ ୩୪ ବିଧାୟକଙ୍କ ପତ୍ର ଏକ ପ୍ରସଙ୍ଗ। ତେବେ ଆସ୍ଥା ଭୋଟ୍ ଡାକିବାପାଇଁ ଏହା କ’ଣ ଏକ ଯଥେଷ୍ଟ କାରଣ କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଖଣ୍ଡପୀଠ କହିଛନ୍ତି, ରାଜ୍ୟପାଳ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ପଚାରିବାର ଥିଲା ଯେ କଂଗ୍ରେସ ଏବଂ ଏନ୍ସିପି ସହ ୩ ବର୍ଷର ‘ହାପି ମ୍ୟାରେଜ୍’ ପରେ ସେମାନେ କାହିଁକି ମେଣ୍ଟରୁ ବାହାରିବାକୁ ଚାହୁଛନ୍ତି।