ଦିନକରେ ରେକର୍ଡ ୪୯୫ ଓମିକ୍ରନ୍‌ ମାମଲା: ୨୪ ଘଣ୍ଟାରେ ୯୦ ହଜାର ସଂକ୍ରମିତ

୯ ରାଜ୍ୟରେ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଗତ ୨୪ ଘଣ୍ଟା‌ରେ ୯୦,୯୨୮ ରହିଛି। ଦିନକରେ ସଂକ୍ରମଣ ମାମଲାରେ ୫୬ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ଦେଶରେ ଦୈନିକ ସଂକ୍ରମଣ ମାମଲା ୫୮,୦୯୭ ଥିବା ବେଳେ ଆଜି ୯୦ ହଜାର ଟପିଯାଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୨୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୮୨,୮୭୬ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୨,୮୫,୪୦୧ ରହିଛି। ଦିନକରେ ଦେଶରେ ସର୍ବାଧିକ ୪୯୫ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଦେଶରେ ଆଜି ସନ୍ଧ୍ୟା ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଓମିକ୍ରନ୍‌ ମାମଲା ଥିବାବେଳେ ଦିଲ୍ଲୀରେ ୪୬୫, ରାଜସ୍ଥାନରେ ୨୩୬, କେରଳରେ ୨୩୪, କର୍ଣ୍ଣାଟକରେ ୨୨୬, ଗୁଜରାଟରେ ୨୦୪ ଏବଂ ତାମିଲନାଡ଼ୁରେ ୧୨୧ ମାମଲା ଚିହ୍ନଟ ହୋଇଛି।

ଦେଶରେ ଦୈନିକ ପଜିଟିଭ୍‌ ହାର ୬.୪୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୩.୪୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୧୯,୨୦୬ ଜଣ କ‌ରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୪୧,୦୦୯କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୯୭.୮୧ ପ୍ରତିଶତ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ୧ ପ୍ରତିଶତରୁ କମ୍‌ ରହିଛି। ଦେଶରେ ଏଯାବତ ୨୬ଟି ରାଜ୍ୟକୁ ଓମିକ୍ରନ୍‌ ବ୍ୟାପିଲାଣି। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି ହୋଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୨୬,୫୩୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୪,୦୨୨ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସଂକ୍ରମଣ ମାମଲା ୨୪ ଘଣ୍ଟାରେ ଦ୍ବିଗୁଣା ହୋଇଛି।

୯ ରାଜ୍ୟରେ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ବଢ଼ି ଚାଲିଥିବାବେଳେ କେନ୍ଦ୍ର ସରକାର ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ତାମିଲନାଡ଼ୁ, ପଂଜାବ, ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜମ୍ମୁ କାଶ୍ମୀର ଏବଂ ବିହାରରେ ଟେଷ୍ଟିଂ କମ୍‌ ଥିବାରୁ କେନ୍ଦ୍ର ସରକାର ଉକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ‌ମାନଙ୍କୁ ଟେଷ୍ଟିଂ ବଢ଼ାଇବାପାଇଁ ଚିଠି ଲେଖି ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା କହିଛନ୍ତି, ସଂକ୍ରମଣ ବୃଦ୍ଧି ସହ ପଜିଟିଭ୍‌ ହାର ବଢ଼ିବା ମଧ୍ୟରେ ଟେଷ୍ଟିଂ କମିଯିବା ଅତ୍ୟନ୍ତ ଚିନ୍ତାଜନକ। ଟେଷ୍ଟିଂ କମାଇଦେବା ଦ୍ବାରା ସଂକ୍ରମଣର ବାସ୍ତବ ସ୍ତରକୁ ବୁଝିବା ସହଜ ହେବନାହିଁ ବୋଲି ଆହୁଜା କହିଛନ୍ତି।

ସମ୍ବନ୍ଧିତ ଖବର