ଆମେରିକାରେ ରେକର୍ଡ ୬୦ ହଜାର ନୂଆ ମାମଲା, ଆଫ୍ରିକାରେ ୫ ଲକ୍ଷ ଟପିଲା

ଇବୋଲା ଅପେକ୍ଷା କରୋନା ଭାଇରସ୍‌ ଆଫ୍ରିକାରେ ଅଧିକ ଜୀବନ ନେଲାଣି

ନୂଆଦିଲ୍ଲୀ: ଆମେରିକାରେ ସ୍ଥିତି ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି। ଆମେରିକାରେ ବିଗତ ୨୪ ଘଣ୍ଟା‌ ମଧ୍ୟରେ ରେକର୍ଡ ୬୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ଆମେରିକାରେ କରୋନା ସଂକ୍ରମଣ କମିବାର ନାମ ନେଉନି। ଅନ୍ୟପକ୍ଷେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ଆମେରିକାରେ ଭାଇରସ୍‌ ନିୟନ୍ତ୍ରଣରେ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା କମିଗଲାଣି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। କିନ୍ତୁ ଆଲର୍ଜି ଏବଂ ସଂକ୍ରାମକ ରୋଗ ଜାତୀୟ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଆନ୍ଥୋନି ଫସି ଏନେଇ ଚେତାଇ ଦେଇଛନ୍ତି। ସେ କହିଛନ୍ତି ମିଥ୍ୟା ଆତ୍ମସନ୍ତୁଷ୍ଟିରେ କିଛି ଲାଭ ନାହିଁ। ଆଗକୁ ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଟେକ୍ସାସ୍‌, ଫ୍ଲୋରିଡା ଏବଂ ଆରିଜୋନାରେ ଲଗାତାର ସଂକ୍ରମଣ ବଢ଼ୁଛି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୧ ଲକ୍ଷରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୪ ହଜାର ରହିଛି। ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୭୪ ହଜାର ରହିଛି ଏବଂ ମୃତ୍ୟୁସଂଖ୍ୟା ୬୬ ହଜାର ଟପିଯାଇଛି।

ଆଫ୍ରିକାରେ କରୋନା ସଂକ୍ରମଣ ୫ ଲକ୍ଷ ଟପିଯାଇଛି। ତେବେ ୨୦୧୪ରୁ ୧୬ ମଧ୍ୟରେ ପଶ୍ଚିମ ଆଫ୍ରିକାରେ ଇବୋଲା ଯେତିକି ଜୀବନ ନେଇଥିଲା ତାଠାରୁ ଅଧିକ ଜୀବନ ନେଇଛି କରୋନାଭାଇରସ୍‌। ଇବୋଲାରେ ୧୧ ହଜାର ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କରୋନା ଭାଇରସ୍‌ରେ ୧୧ ହଜାର ୯୫୯ ଜଣଙ୍କ ମୃତ୍ୟୁ ହୋଇଛି। ଆଫ୍ରିକାର ଏକ ତୃତୀୟାଂଶ ଦେଶରେ ଗତ ମାସକ ମଧ୍ୟରେ ସଂକ୍ରମଣ ଦ୍ବିଗୁଣା ହୋଇଛି। ତେବେ ଏକ ବଡ଼ ସମସ୍ୟା ହେଉଛି ଆଫ୍ରିକାରେ କେତେ ସଂଖ୍ୟକ ଲୋକ ପ୍ରକୃତରେ କରୋନା ସଂକ୍ରମିତ ହେଉଛନ୍ତି ତାହା ଜଣାପଡ଼ିନି। କାରଣ ଏହାର ୫୪ଟି ରାଷ୍ଟ୍ରରେ ଏବେ ‌ବି ଟେଷ୍ଟିଂ ଉପକରଣର ଅଭାବ ରହିଛି। ଆଫ୍ରିକାର ସ୍ବାସ୍ଥ୍ୟ ବ୍ୟବସ୍ଥା ସେତେ ସୁଦୃଢ଼ ନାହିଁ। ଅନ୍ୟପକ୍ଷେ ୨ ହଜାରରୁ ଅଧିକ ସ୍ବାସ୍ଥ୍ୟ କର୍ମୀ ଆଫ୍ରିକ‌ାରେ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର