‘ହିନ୍ଦୁବିଦ୍ବେଷ’କୁ ନିନ୍ଦା କରି ଜର୍ଜିଆରେ ପ୍ରସ୍ତାବ ଗୃହୀତ

ୱାସିଂଟନ : ଆମେରିକାର ପ୍ରଥମ ରାଜ୍ୟ ଜର୍ଜିଆରେ ହିନ୍ଦୁଫୋବିୟା (ହିନ୍ଦୁବିଦ୍ବେଷ)କୁ ବିରୋଧ କରି ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ହିନ୍ଦୁବିଦ୍ବେଷ ଓ ହିନ୍ଦୁଙ୍କ ପ୍ରତି ଅସହିଷ୍ଣୁତାକୁ ଏଥିରେ ନିନ୍ଦା କରାଯାଇଛି।

ବିଧାନସଭାରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ହିନ୍ଦୁଧର୍ମ ହେଉଛି ବିଶ୍ବର ବୃହତ୍ତମ ଓ ପ୍ରାଚୀନତମ ଧର୍ମ, ୧୦୦ରୁ ଅଧିକ ଦେଶରେ ଯାହାର ୧୨୦ କୋଟିରୁ ଅଧିକ ଅନୁଗାମୀ ରହିଛନ୍ତି। ଏହି ଧର୍ମରେ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା ଓ ବିଶ୍ବାସକୁ ମାନ୍ୟତା ଦିଆଯାଇଛି। ସମସ୍ତେ ସବୁ ବିଶ୍ବାସର ଲୋକଙ୍କୁ ସମ୍ମାନ ଦିଅନ୍ତି ଓ ଶାନ୍ତିରେ ଚଳନ୍ତି। ଭିନ୍ନ ବିଶ୍ବାସୀଙ୍କ ଭିତରେ କୌଣସି ପ୍ରକାର ଝଗଡ଼ାଝାଟି ହୁଏ ନାହିଁ। ଏପରି କି ହିନ୍ଦୁଧର୍ମ ଛାଡ଼ା ଅନ୍ୟ ଧର୍ମର ଲୋକଙ୍କୁ ବି ସେମାନେ ମର୍ଯ୍ୟାଦା ଦିଅନ୍ତି ଓ ସହ୍ୟ କରନ୍ତି। ହିନ୍ଦୁ ଓ ଭାରତୀୟ-ଆମେରିକୀୟ-ବହୁଳ ଫରସିଥ୍‌ କାଉଣ୍ଟିର ପ୍ରତିନିଧି ଲରେନ ମାକ୍‌ଡୋନାଲ୍‌ଡ ଓ ଟଡ୍ ଜୋନ୍‌ସ ବିଧାନସଭାରେ ଏହି ପ୍ରସ୍ତାବ ଦେଇଥିଲେ, ଯାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା।

ପ୍ରସ୍ତାବରେ କୁହାଯାଇଥିଲା ଯେ ଏହି ଆମେରିକୀୟ ହିନ୍ଦୁ ସମ୍ପ୍ରଦାୟ ରାଜ୍ୟର ଚିକିତ୍ସା-ବିଜ୍ଞାନ, ବିଜ୍ଞାନ, ଇଂଜିନିୟରିଂ, ସୂଚନାପ୍ରଯୁକ୍ତି, ଆତିଥ୍ୟ, ଅର୍ଥ, ଶିକ୍ଷା, ନିର୍ମାଣ, ଶକ୍ତି, ରିଟେଲ ବ୍ୟବସାୟ ଆଦି ସମସ୍ତ ବିଭାଗକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଯୋଗ, ଆୟୁର୍ବେଦ, ଧ୍ୟାନ, ଖାଦ୍ୟ, ସଂଗୀତ, କଳା ଆଦି କ୍ଷେତ୍ରକୁ ମଧ୍ୟ ହିନ୍ଦୁମାନଙ୍କ ଅବଦାନ ଉଲ୍ଲେଖନୀୟ। ସେମାନଙ୍କ ଅବଦାନ ଯୋଗୁ ରାଜ୍ୟର ଅନ୍ୟମାନଙ୍କ ଜୀବନଧାରଣର ମାନ ଉନ୍ନତ ଓ ସହଜ ହେଉଛି। ତେଣୁ ସେମାନଙ୍କ ପ୍ରତି ବିଦ୍ବେଷ ଓ ଅସହିଷ୍ଣୁତା ପ୍ରଦର୍ଶନ ଠିକ୍ ନୁହେଁ।

ସମ୍ବନ୍ଧିତ ଖବର