ନୋଏଡା: ନୋଏଡ଼ାର ଏକ ବୃଦ୍ଧାଶ୍ରମରେ ଚଢ଼ଉ କରି କର୍ତ୍ତୃପକ୍ଷ ଏହାର ଅନ୍ତେବାସୀଙ୍କ ପ୍ରତି ଅମାନବୀୟ ବ୍ୟବହାରର ପର୍ଦ୍ଦାଫାସ କରିଛନ୍ତି। ଚଢ଼ଉ ସମୟରେ ବୃଦ୍ଧାମାନଙ୍କୁ ଲୁଗାରେ ବାନ୍ଧି ଏକ କୋଠରିରେ ବନ୍ଦ କରି ରଖାଯାଇଥିବା ଦେଖିବାକୁ ମିଳିଥିବା ବେଳେ ବୃଦ୍ଧମାନଙ୍କୁ ଅନ୍ଧକାରପୂର୍ଣ୍ଣ ଭୂତଳ କୋଠରିରେ ବନ୍ଦୀ ଭଳି ରଖିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ମହିଳା ଆୟୋଗ, ନୋଏଡା ପୁଲିସ, ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରୋବେସନ କାର୍ଯ୍ୟାଳୟ ପକ୍ଷରୁ ସେକ୍ଟର ୫୫ରେ ଥିବା ଏହି ବୃଦ୍ଧାଶ୍ରମ ଉପରେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ଉ ପରେ ୪୨ ଜଣ ବୃଦ୍ଧବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି।
ଚଢ଼ଉ ସମୟରେ ଅଧିକାଂଶ ବୃଦ୍ଧଙ୍କ ପାଖରେ ଉପଯୁକ୍ତ ପୋଷାକ ନ ଥିବା ଏବଂ ବୟସ୍କ ମହିଳାମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ନିଜକୁ ନର୍ସ ବୋଲି ଦାବି କରୁଥିବା ଜଣେ ମହିଳାଙ୍କୁ ଠାବ କରାଯାଇଥିଲା, କିନ୍ତୁ ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ମାତ୍ର ଦ୍ୱାଦଶ ପାସ୍ କରିଛନ୍ତି। ବୃଦ୍ଧବୃଦ୍ଧାଙ୍କ ଲୁଗାପଟାରେ ମଳମୂତ୍ର ଲାଗିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ନିଜର ଯତ୍ନ ନିଜେ ନେବାକୁ ବାଧ୍ୟ କରାଯାଇଥିଲା। ଜଣେ ବୃଦ୍ଧା ମହିଳାଙ୍କୁ ବାନ୍ଧି ଏକ କୋଠରିରେ ବନ୍ଦକରି ରଖାଯାଇଥିବାର ଭିଡିଓ ଭାଇରାଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଚଢ଼ଉକାରୀ ଦଳ କହିଛି। ଏହି ସଂସ୍ଥା ବୟସ୍କମାନଙ୍କୁ ରଖିବା ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦାନ ଆଦାୟ କରିବା ସହ ରହିବା ଓ ଖାଇବା ପାଇଁ ମାସିକ ୬ ହଜାର ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି। ଦୁର୍ଭାଗ୍ୟର ବିଷୟ, ଏହି ଟିମ୍ ବାସିନ୍ଦାଙ୍କ ପରିବାର ସହ ଯୋଗାଯୋଗ କରିବାରୁ ଅନେକ ଲୋକ ସବୁକିଛି ସ୍ୱାଭାବିକ ଥିବା କହି କିଛି ଦାୟିତ୍ବ ନେବାକୁ ମନା କରିଦେଇଥିଲେ। ନୋଏଡା ପୁଲିସ କହିଛି ଯେ ରାଜ୍ୟ ମହିଳା ଆୟୋଗଙ୍କ ଅଭିଯୋଗ ଆଧାରରେ ଆନନ୍ଦ ନିକେତନ ବୃଦ୍ଧ ସେବାଶ୍ରମରେ ଅଚାନକ ଯାଞ୍ଚ କରାଯାଇଥିଲା, ଯେଉଁଠାରେ ଅନେକ ଗୁରୁତର ଅନିୟମିତତା ଦେଖିବାକୁ ମିଳିଥିଲା। ପ୍ରଶାସନିକ ସହାୟତାରେ ଆଶ୍ରମକୁ ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ବୟସ୍କ ବାସିନ୍ଦାଙ୍କୁ ଏବେ ସ୍ୱୀକୃତିପ୍ରାପ୍ତ ସରକାରୀ ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯିବ।