ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଲୋକଙ୍କ ସଇତାନି ମାନସିକତାର ଏକ ନଗ୍ନ ରୂପ ସାମ୍ନାକୁ ଆସିଛି। ମୁସଲିମ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରୁ ବଦଳି କରିବା ପାଇଁ କିଛି ବ୍ୟକ୍ତି ଜଣେ ପଞ୍ଚମ ଶ୍ରେଣୀ ପିଲା ହାତରେ ପାଣି ଟାଙ୍କିରେ ବିଷ ପକାଇଛନ୍ତି। ଗତମାସ ୧୪ ତାରିଖରେ ଘଟିଥିବା ଏହି ଘଟଣାରେ ୩ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ଥାନୀୟ ଶ୍ରୀରାମ ସେନେ ଗୋଷ୍ଠୀର ଜଣେ ନେତା ରହିଛନ୍ତି।
ପୁଲିସର ସୂଚନା ମୁତାବକ, ପ୍ରଧାନଶିକ୍ଷକ ସୁଲେମାନ ଗୋରିନାଏକଙ୍କ ବିରୋଧରେ ଭୟ ଏବଂ ସନ୍ଦେହ ସୃଷ୍ଟି କରିବା ପାଇଁ ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିଲେ। ପ୍ରଧାନଶିକ୍ଷକ ସୁଲେମାନ ହୁଲିକାଟିର ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଗତ ୧୩ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ବଦନାମ କରି ବଦଳି ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ବିଦ୍ୟାଳୟର ଟାଙ୍କିରୁ ପାଣି ପିଇ ୧୨ ଜଣ ଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନେ ଯଦିଓ ଗୁରୁତର ହୋଇ ନଥିଲେ ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମହଲକୁ ଏହା ଆନ୍ଦୋଳିତ କରିଥିଲା। ଅସୁସ୍ଥ ପିଲାମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ପରେ ସେମାନେ ସୁସ୍ଥ ହୋଇଥିଲେ।
ପୁଲିସ ପଚରାଉଚରା କରିବା ପରେ ପଞ୍ଚମ ଶ୍ରେଣୀ ପିଲାକୁ ଧରି ଏହି କାର୍ଯ୍ୟ କରାଯାଇଥିବା ଜଣାପଡ଼ିଥିଲା। ପିଲାଟି ସ୍ବୀକାର କରିଥିଲା ଯେ କିଛି ବିଷାକ୍ତ ପଦାର୍ଥ ତାଙ୍କୁ ଏକ ବୋତଲରେ ଅଭିଯୁକ୍ତମାନେ ଦେଇ ପାଣିଟାଙ୍କିରେ ପକାଇବାକୁ କହିଥିଲେ। ଯେଉଁ ବ୍ୟକ୍ତି ପଞ୍ଚମ ଶ୍ରେଣୀ ପିଲାକୁ ବିଷାକ୍ତ ପଦାର୍ଥ ଥିବା ବୋତଲ ଦେଇଥିଲା ସେ କ୍ରିଷ୍ଣା ମାଦର ବୋଲି ଜଣାଯାଇଛି। ତେବେ କ୍ରିଷ୍ଣା ଚାପରେ ଏହି କାର୍ଯ୍ୟ କରିଥିବା ପୁଲିସ କହିଛି। ଅନ୍ୟଜାତିର ଝିଅ ସହିତ କ୍ରିଷ୍ଣାର ସଂପର୍କ ରହିଛି। ଯଦି ସେ ଏହି କାର୍ଯ୍ୟ ନକରେ ତା’ହେଲେ ତା’ର ସେହି ସମ୍ପର୍କକୁ ପଦାରେ ପକାଇ ଦିଆଯିବ ବୋଲି ସାଗର ପାଟିଲ ଓ ନାଗନଗୌଡ଼ ପାଟିଲ ତାକୁ ବ୍ଲାକମେଲ୍ କରିଥିଲେ। ସାଗର ପାଟିଲ ଶ୍ରୀରାମ ସେନେର ତାଲୁକସ୍ତରର ସଭାପତି ରହିଛି। ସେ ହିଁ ଏହାର ମାଷ୍ଟରମାଇଣ୍ଡ। ସାଗର ପାଟିଲ, ନାଗନଗୌଡ଼ା ପାଟିଲ ଏବଂ କ୍ରିଷ୍ଣା ମାଦରକୁ ଗିରଫ କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ଘଟଣାର ନିନ୍ଦା କରିଛନ୍ତି।