ଶ୍ରୀନଗର: ଏୟାରପୋର୍ଟରେ ମରଣାନ୍ତକ ଆକ୍ରମଣ । ବିମାନ ବନ୍ଦରରେ ସ୍ପାଇସ୍ ଜେଟ୍ କର୍ମଚାରୀଙ୍କୁ ବିଧା ଗୋଇଠା ମାରିଲେ ବରିଷ୍ଠ ସେନା ଅଧିକାରୀ । ଖାଲି ବିଧା ଗୋଇଠା ନୁହେଁ ବରଂ ବିମାନ ବନ୍ଦରରେ ଥିବା ଷ୍ଟିଲ ଷ୍ଟାଣ୍ଡ ଖୋଲି ପିଟିଲେ । ସେନା ଅଧିକାରୀଙ୍କ ଉନ୍ମତକାଣ୍ଡରେ ୪ ଜଣ ସ୍ପାଇସ୍ ଜେଟ୍ କର୍ମଚାରୀ ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ଆକ୍ରମଣ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ । ବିମାନ ବନ୍ଦରରେ ହୋଇଥିବା ହଙ୍ଗାମା ପଛରେ ଥିଲା ଭାରି ଲଗେଜ । କ୍ଷମତା ଠାରୁ ଅଧିକ ଓଜନର ଲଗେଜକୁ ନେଇ ଏହି ଗଣ୍ଡଗୋଳ, ମାରପିଟ ହୋଇଛି ।
ତେବେ ଶ୍ରୀନଗରରୁ ଦିଲ୍ଲୀ ଆସୁଥିବା ସ୍ପାଇସ୍ ଜେଟ୍ର ବିମାନ ଏସଜି-୩୮୬ର ବୋର୍ଡିଂ ଗେଟ ପାଖରେ ହଙ୍ଗାମା ଦେଖିବାକୁ ମିଳିଛି । ଜଣେ ସେନା ଅଧିକାରୀ ନିଜ ଲଗେଜ ଠାରୁ ଅଧିକ ଓଜନର ଲଗେଜ ନେଇ ଯାଉଥିଲେ । ସେନାଧିକାରୀଙ୍କ ପାଖରେ ୨ଟି ବ୍ୟାଗ୍ ଥିଲା ଯାହାର ଓଜନ ଥିଲା ୧୬ କେଜି । ତେବେ କର୍ମଚାରୀ ତାଙ୍କୁ ଅଧିକ ଓଜନ ପାଇଁ ଅତିରିକ୍ତ ଚାର୍ଜ ମାଗିଥିବା ବେଳେ ସେ ଦେବାକୁ ମନା କରିବା ସହ ବଡ ପାଟିରେ ଚିଲେଇ । ସେଠାରେ ମାରପିଟ କରିଥିଲେ ।
ପରିସ୍ଥିତି ବିଗିଡିବା ପରେ ସିଆଇଏସଏଫ ଅଧିକାରୀ ସେନାଧିକାରୀଙ୍କୁ ଠେଲି ଠେଲି ନେଇ ଯାଉଥିବା ବେଳେ ସେ ଆହୁରି ରାଗିଯାଇ ପୁଣି ଆକ୍ରମଣ କଲେ । କାହାକୁ ବିଧା, ଗୋଇଠା ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ଯେଉଁଥିରେ ଜଣଙ୍କର ବେକ ହାଡ ଆଘାତ ଲାଗିଥିବା ବେଳେ ୪ ଜଣ ଯାକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ଆକ୍ରମଣ ପରେ ସେନାଧିକାରୀଙ୍କ ନାଁରେ ଏଫଆଇଆର ହୋଇଛି । ସେ ଗୁଲମାର୍ଗରେ ଚାକିରି କରିଛନ୍ତି । ଘଟଣା ପରେ ଥାନାରେ ଅଭିଯୋଗ ହେବା ସହ ତାଙ୍କୁ ନୋ-ଫ୍ଲାଇଟ ତାଲିକାଭୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଯାଏଁ ସେ ଗିରଫ ହୋଇ ନାହାନ୍ତି ।