ବରେଲି: ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ଏକ ଗ୍ରାମାଞ୍ଚଳରେ ଗତ ୧୪ ମାସ ମଧ୍ୟରେ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସିରିଅଲ କିଲରର ଆତଙ୍କ ଖେଳିଯାଇଛି। କେବଳ ଦୁଇଟି ଥାନା ଅଧୀନରେ ଥିବା ଗ୍ରାମଗୁଡ଼ିକରେ ଏହିସବୁ ହତ୍ୟାକାଣ୍ଡ ଘଟିଛି। ଏ ସମସ୍ତ ହତ୍ୟାକାଣ୍ଡରେ ଗୋଟିଏ ନିର୍ଦ୍ଦିଷ୍ଟ ଢାଞ୍ଚା ଦେଖିବାକୁ ମିଳିଛି। ସମସ୍ତ ନିହତ ମହିଳାଙ୍କ ବୟସ ୪୫ରୁ ୫୫ ବର୍ଷ ମଧ୍ୟରେ। ସମସ୍ତଙ୍କୁ ମଧ୍ୟାହ୍ନ ସମୟରେ କ୍ଷେତରେ ଗଳା ଚିପି ହତ୍ୟା କରାଯାଇଛି। ସେମାନଙ୍କ ଲୁଗାପଟା ଅସ୍ତବ୍ୟସ୍ତ ହୋଇଥିଲେ ମଧ୍ୟ ଫରେନ୍ସିକ୍ ପରୀକ୍ଷଣରୁ ଯୌନନିର୍ଯାତନାର କୌଣସି ଚିହ୍ନ ଦେଖିବାକୁ ମିଳି ନ ଥିଲା। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ବୁଧବାର କହିଛନ୍ତି, ଆମ ଟିମ୍ ୬ ମାସ ଧରି ଏହି ମାମଲାର ତଦନ୍ତ କରୁଛି।
ହତ୍ୟାକାଣ୍ଡଗୁଡ଼ିକ ପ୍ରାୟ ସମାନ ଧରଣର ହୋଇଥିବା ଯୋଗୁଁ ଏହା ପଛରେ କୌଣସି ସିରିଅଲ କିଲର ଥିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। କିଛି ତଥ୍ୟକୁ ଆଧାର କରି ୩ ଜଣ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରାଯାଇଛି ବୋଲି କୁମାର ଗଣମାଧ୍ୟମକୁ କହିଛନ୍ତି। ସନ୍ଦେହରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ପ୍ରକୃତ ଦୋଷୀ ହୋଇ ନ ପାରନ୍ତି ବୋଲି ତଦନ୍ତକାରୀ ଏଜେନ୍ସି ଅନୁମାନ କରୁଛି, କାରଣ ସେମାନେ ଜେଲରେ ଥିବା ବେଳେ ହତ୍ୟାକାଣ୍ଡ ହୋଇଛି। ବରିଷ୍ଠ ଅଧିକାରୀମାନେ ନିକଟରେ ଜାମିନ ପାଇଥିବା କିମ୍ବା ମୁକ୍ତ ହୋଇଥିବା କଏଦୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି। ଏହି ମାମଲାର ପର୍ଦ୍ଦାଫାସ କରିବାରେ ଅସମର୍ଥ ହୋଇଥିବା ପୁଲିସ ପାରମ୍ପରିକ ପଦ୍ଧତିକୁ ଫେରି ୯୦ଟି ଗାଁର ଚାଷୀଙ୍କ ସାକ୍ଷାତ୍କାର ପରେ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଛି।
ଗତ ବର୍ଷ ଜୁନ୍ ମାସରେ ପ୍ରଥମ ମୃତଦେହ ମିଳିବା ପରେ ଦୁଃସ୍ୱପ୍ନ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୩ ତାରିଖରେ ବରେଲିର ସାହି ଶୀଶଗଡ଼ ଅଞ୍ଚଳର ଏକ ଫାର୍ମରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଥିଲା। ଗତ ବର୍ଷ ନଭେମ୍ବର ବେଳକୁ ମୃତଦେହ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବର୍ଷେରୁ ଅଧିକ ସମୟ ବିତିଯିବା ସତ୍ତ୍ବେ ପୁଲିସ କେବଳ ସ୍କେଚ୍ ଜାରି କରିଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।