ମୁମ୍ବାଇ: ମୁମ୍ବାଇ ସଂଲଗ୍ନ ଭିରାରର ପଶ୍ଚିମର ଜୟ ଭିଲା କମ୍ପ୍ଲେକ୍ସର ପିନେକଲ୍ ସୋସାଇଟିରୁ ଏକ ହୃଦୟବିଦାରକ ଘଟଣା ଘଟିଛି। ୨୧ତମ ମହଲାରୁ ପଡ଼ି ଜଣେ ସାତ ମାସର ଶିଶୁର ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ପିନେକଲ୍ ସୋସାଇଟିର ୨୧ତମ ମହଲାରେ ଭିକି ସେଡାନି ଏବଂ ପୂଜା ସେଡାନି ନାମକ ଦମ୍ପତି ବସବାସ କରୁଥିଲେ। ଦୁହେଁ ଗତ ସାତମାସ ପୂର୍ବେ ଏକ ପୁତ୍ର ସନ୍ତାନର ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲେ। ତେବେ ଗତ ବୁଧବାର ରାତିରେ ପୁଅ ବୃଶାଙ୍କ ଶୋଉ ନଥିଲା, ତେଣୁ ପୂଜା ତାକୁ କୋଳରେ ଧରି ମାଷ୍ଟର ବେଡରୁମରେ ବୁଲାଉଥିଲେ।  

ଏହି ସମୟରେ ପୂଜା ଶୟନ କକ୍ଷ ଭିତରକୁ ପବନ ପ୍ରବେଶ କରିବା ପାଇଁ ସେ ବାଲକୋନିର ସ୍ଲାଇଡିଂ ଝରକା ଖୋଲା ରଖିଥିଲେ।  ପୁଅକୁ ଧରି ବୁଲୁଥିବା ବେଳେ ପୂଜାଙ୍କ ଗୋଡ଼ ଅସାବଧାନତା ବଶତଃ ଖସି ଯାଇଥିଲା। ଫଳରେ ପୂଜାଙ୍କ ହାତରୁ ପୁଅ ଖସି ଯାଇ ଖୋଲା ଥିବା ଝରକା ବାଟ ଦେଇ ତଳେ ପଡ଼ି ଯାଇଥିଲା।  

ଭିକି ଓ ପୂଜା କାନ୍ଦିକାନ୍ଦି ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।