ମୁମ୍ବାଇ: ଦେଶରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି। ଆଜି ଦୈନିକ ସଂକ୍ରମଣ ମାମଲା ୨୬୮ ରହିଥିବା ବେଳେ ସକ୍ରିୟ ମାମଲା ୩,୫୫୨କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟିରେ ପହଞ୍ଚିଛି। ସଂକ୍ରମଣ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ନଥିଲେ ସୁଦ୍ଧା ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କରୋନା ନିୟନ୍ତ୍ରଣ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ସହ ଆଗୁଆ କରୋନା ପ୍ରସ୍ତୁତି ସଂକ୍ରାନ୍ତରେ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଦେଶରେ ଅତ୍ୟାବଶ୍ୟକ ଔଷଧର ସ୍ଥିତି ଏବଂ ଆଗୁଆ ସତର୍କତା ପଦକ୍ଷେପ ନେଇ ଆଲୋଚନା ହୋଇଛି।
ଚୀନ୍ ସମେତ ସାରା ବିଶ୍ବର କରୋନା ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆସନ୍ତା ଜାନୁଆରି ୧ ତାରିଖରୁ ଥାଇଲାଣ୍ଡ, ସିଙ୍ଗାପୁର, ଜାପାନ, ହଂକଂ, ଚୀନ୍ ଏବଂ କୋରିଆର ଯାତ୍ରୀମାନଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟ୍ ବାଧ୍ୟତାମୂଳକ କରାଯାଇଛି। ଉକ୍ତ ରାଷ୍ଟ୍ରର ଯାତ୍ରୀମାନେ ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ୍ ବିନା ଭାରତକୁ ଯାତ୍ରା କରିପାରିବେ ନାହିଁ। ଭାରତକୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଆର୍ଟିପିସିଆର ନେଗେଟିଭ୍ ରିପୋର୍ଟ ଦାଖଲ ହୋବ ଜରୁରୀ ବୋଲି କୁହାଯାଇଛି।
ଉପରୋକ୍ତ ୬ ରାଷ୍ଟ୍ରରୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଏୟାର ସୁବିଧା ପୋର୍ଟାଲ୍ କାର୍ଯ୍ୟକାରୀ ହେବ। ଫଳରେ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀ ସେମାନଙ୍କ ନେଗେଟିଭ ଆର୍ଟି-ପିସିଆର ଟେଷ୍ଟ ରିପୋର୍ଟ ଦାଖଲ ଏବଂ ଅପଲୋଡ୍ କରିପାରିବେ। ଏହି ନୂଆ ନିର୍ଦ୍ଦେଶାବଳି ଅନେକ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକଙ୍କୁ ମଧ୍ୟ ପ୍ରଭାବିତ କରିବ। ଥାଇଲାଣ୍ଡ୍ ଏବଂ ସିଙ୍ଗାପୁର ଚଳିତ ବର୍ଷର ଲୋକପ୍ରିୟ ଅନ୍ତର୍ଜାତୀୟ ଡେଷ୍ଟିନେସନ୍ ହୋଇଥିବା ବେଳେ ଭାରତ ସରକାରଙ୍କ ଏହି ନୂଆ ନିୟମ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରଭାବିତ କରିବ।