‘ସେନା ପାଇଁ କେବେ ବି କର୍ତ୍ତବ୍ୟରୁ ବିରତି ନଥାଏ’; ସେନା ବାହିନୀର ଏ ଉକ୍ତିକୁ କାମରେ କରି ଦେଖାଇଲେ ସେନା ମେଜର…

ଛୁଟିରେ ଥାଇ ମଧ୍ୟ ଦୌଡ଼ିଗଲେ କେରଳ, ନିଜକୁ ସାମିଲ କଲେ ଉଦ୍ଧାର କାର୍ଯ୍ୟରେ

ନୂଆଦିଲ୍ଲୀ: କୁହାଯାଏ, ‘ଜଣେ ସେନା ପାଇଁ କେବେ ବି କର୍ତ୍ତବ୍ୟରୁ ବିରତି ନଥାଏ’। ସେନା ବାହିନୀରେ ପ୍ରଚଳିତ ଥିବା ଏହି ଉକ୍ତିକୁ ଏବେ କାର୍ଯ୍ୟରେ କରି ଦେଖାଇଛନ୍ତି ମେଜର ହିମନ୍ତ ରାଜ୍‌। ମାଡ୍ରାସ ସପ୍ତ ଶକ୍ତି କମାଣ୍ଡରେ ମେଜର ଭାବେ ଅବସ୍ଥାପିତ ୨୮ ବର୍ଷ ବୟସ୍କ ମେଜର ହିମନ୍ତ ରାଜ୍‌ ଛୁଟି ନେଇ ନିଜ ଘରକୁ ଯାଇଥିଲେ। ହେଲେ, ଛୁଟି ନେଇ ଘରେ ଥିବା ବେଳେ ମେଜର ହିମନ୍ତ ଯେତେବେଳେ ଶୁଣିଲେ କେରଳର ପ୍ରଳୟଙ୍କରୀ ବନ୍ୟା ବିଭୀଷିକା କଥା; ସେତେବେଳେ ସେ ଆଉ ଘରେ ରହି ପାରିଲେ ନାହିଁ।

ଛୁଟିରେ ଥାଇ ମଧ୍ୟ ସେ ଛୁଟିଗଲେ ବନ୍ୟାକ୍ଲିଷ୍ଟ କେରଳକୁ ନିଜକୁ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସାମିଲ କରାଇବା ପାଇଁ। ତାଙ୍କ ସହ ଛୁଟିରେ ଥିବା ସେନା ବାହିନୀର ଅନ୍ୟ କେତେକ ବରିଷ୍ଠ ଓ କନିଷ୍ଠ ସାଥୀ ସହଯୋଗୀଙ୍କୁ ଡକାଇ ଆଣି ଏକ ଟିମ୍‌ ଗଠନ କଲେ ମେଜର ହିମନ୍ତ। ଏଥିସହ ଯୋଗାଡ଼ କଲେ କିଛି ମାଛ ଧରାଳି ଧୀବରଙ୍କ ଡଙ୍ଗା। ଆଉ ସେଇ ଡଙ୍ଗାରେ ନିଜ ଟିମ୍‌କୁ ଧରି ସେ ବାହାରିଲେ ଜଳବନ୍ଦୀ ଅବସ୍ଥାରେ ରହି ଯାଇଥିବା ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବାକୁ। ଆଉ କ୍ଳାନ୍ତହୀନ ଭାବେ ଦିନରାତି ଏକାଠି କରି ଜଳବନ୍ଦୀ ଅବସ୍ଥାରେ ଜୀବନ ଓ ମୁତ୍ୟୁ ସହ ସଂଗ୍ରାମ କରୁଥିବା ଶତାଧିକ ବିପନ୍ନଙ୍କୁ ସଫଳତା ପୂର୍ବକ ଉଦ୍ଧାର କଲେ।


ମେଜର ହିମନ୍ତ ରାଜ୍‌ ଓ ତାଙ୍କ ସାଥୀ ସହଯୋଗୀଙ୍କ ଏପ୍ରକାରର ବିରଳ କର୍ତ୍ତବ୍ୟନିଷ୍ଠା ଏବେ ସାମନାକୁ ଆସିବା ପରେ ଦେଶର ସବୁ ସ୍ତରରୁ ସେମାନଙ୍କ ନିକଟକୁ ପ୍ରଶଂସାର ଛୁଅ ଛୁଟିବାରେ ଲାଗିଛି। ଖୋଦ୍‌ ସେନା ବାହିନୀ ମଧ୍ୟ ମେଜର ହିମନ୍ତ ରାଜ୍‌ଙ୍କ ଏପ୍ରକାର କାର୍ଯ୍ୟର ପ୍ରଶଂସା କରିଛି।

ସମ୍ବନ୍ଧିତ ଖବର