ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମ ପୀଡ଼ିତା ‘ମାଙ୍ଗଳିକ’ କି ନା’ ତାହା ଜାଣିବା ପାଇଁ ନିକଟରେ ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନ ବିଭାଗ ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କର ଏଭଳି ଅସାଧାରଣ ରାୟ ଉପରେ ରୋକ୍ ଲଗାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାରେ ହସ୍ତକ୍ଷେପ କରିବାପରେ ଏହି ରାୟ ଉପରେ ରୋକ୍ ଲାଗିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟ ଏବେ ଛୁଟି ଅଛି ଏବଂ ଶନିବାର ଓ ରବିବାର ଶୁଣାଣି ହୁଏନାହିଁ। ପ୍ରଧାନ ବିଚାରପତି ଆଜି ସକାଳେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିଥିଲେ ଏବଂ ଏହି ମାମଲାର ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିଙ୍କୁ କହିଥିଲେ। ଏହାପରେ ଖଣ୍ଡପୀଠ ଗଠନ ହେଲା। ସିଜେଆଇ ବିଦେଶରେ ଥାଇ ମଧ୍ୟ ଏହି ମାମଲାରେ ଆଜି ହସ୍ତକ୍ଷେପ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଥିଲା। ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ଜାମିନ ପାଇବାପାଇଁ ସେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ।
ମେ’ ୨୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ଜାମିନ ଆବେଦନର ଶୁଣାଣି କରିଥିଲେ। ଆବେଦନକାରୀଙ୍କ ଓକିଲ କୋର୍ଟରେ କହିଥିଲେ, ମହିଳା ମାଙ୍ଗଳିକ ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିବାହ ହୋଇପାରିନି। ଏହି ସମୟରେ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ ଯେ ତାଙ୍କ ମହକିଲ ମାଙ୍ଗଳିକ ନୁହନ୍ତି। ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ମହିଳା ମାଙ୍ଗଳିକ କି ନା’ ଜାଣିବାପାଇଁ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନ ବିଭାଗ ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟ ଜୁନ୍ ୨୬ ତାରିଖରେ ରଖିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କର ଏହି ରାୟ ଉପରେ ରୋକ୍ ଲଗାଇ ଦେଇଛନ୍ତି। କୋର୍ଟ ଉକ୍ତ ମାମଲାକୁ ନିଜ ଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିବା ସହ କହିଛନ୍ତି, ଜାମିନ ଆବେଦନର ଶୁଣାଣି ସମୟରେ ଆଷ୍ଟ୍ରୋଲୋଜି ରିପୋର୍ଟ ମାଗିବାର ଅର୍ଥ କ’ଣ। ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ପଙ୍କଜ ମିଥଲଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ନିଜ ଆଡ଼ୁ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇ ଦେଇଛନ୍ତି।