ନୂଆଦିଲ୍ଲୀ: ସମ୍ପତ୍ତି ପୁନର୍ବଣ୍ଟନକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କଂଗ୍ରେସର ଉପଦେଷ୍ଟା ସାମ୍ ପିତ୍ରୋଡ଼ା ଆମେରିକା ଶୈଳୀରେ ଉତ୍ତରାଧିକାର କର ଲାଗୁ କରିବାକୁ ପରାମର୍ଶ ଦେବା ପରେ ଛତିଶଗଡ଼ର ସରଗୁଜାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଅଧିକ ଟିକସ ଲଗାଇ ନିଜର ‘ରାଜକୋଷ’ ପୂରଣ କରିବାକୁ ଚାହୁଛି ଏବଂ ଲୋକଙ୍କ କଠିନ ପରିଶ୍ରମରେ ଅର୍ଜିତ ସମ୍ପତ୍ତିକୁ ସେମାନଙ୍କ ପିଲାମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁନାହିଁ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ରାଜକୁମାର’ ଏବଂ ‘ରାଜପରିବାର’ର ଉପଦେଷ୍ଟା (ସାମ୍ ପିତ୍ରୋଡାଙ୍କ ମତରେ ମଧ୍ୟବିତ୍ତଙ୍କ ଉପରେ ଅଧିକ ଟିକସ ଲାଗୁ କରାଯିବା ଉଚିତ। କଂଗ୍ରେସ କହିଛି ଯେ ସେମାନେ ଉତ୍ତରାଧିକାରୀ ଟିକସ ଲାଗୁ କରିବେ ଏବଂ ପିତାମାତାଙ୍କଠାରୁ ମିଳିଥିବା ସମ୍ପତ୍ତି ଉପରେ ମଧ୍ୟ ଟିକସ ଲାଗୁ ହେବ। ଆପଣଙ୍କ ପିଲାମାନେ ଆପଣଙ୍କ କଠିନ ପରିଶ୍ରମ ଦ୍ୱାରା ସଞ୍ଚିତ ସମ୍ପତ୍ତି ପାଇବେ ନାହିଁ, ବରଂ କଂଗ୍ରେସର ପଞ୍ଝା ଆପଣଙ୍କଠାରୁ ଏହା ଛଡ଼ାଇ ନେବ। ପିତ୍ରୋଡ଼ାଙ୍କ ମନ୍ତବ୍ୟ କଂଗ୍ରେସର ବିପଜ୍ଜନକ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏଲ୍‌ଆଇସିର ଏକ ପୂର୍ବ ସ୍ଲୋଗାନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, କଂଗ୍ରେସର ଗୋଟିଏ ମନ୍ତ୍ର ଅଛି- ଲୋକଙ୍କୁ ଲୁଟ୍ କରିବା- ‘ଜିନ୍ଦଗୀ କେ ସାଥ ଭି, ଜିନ୍ଦଗୀ କେ ବାଦ ଭି’ (ଜୀବନରେ ଏବଂ ମୃତ୍ୟୁ ପରେ ମଧ୍ୟ)। କାହାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଛନ୍ତି, ଯେଉଁମାନେ ସମଗ୍ର କଂଗ୍ରେସ ଦଳକୁ ନିଜର ପୈତୃକ ସମ୍ପତ୍ତି ଭାବେ ବିବେଚନା କରି ନିଜ ପିଲାମାନଙ୍କୁ ହସ୍ତାନ୍ତର କରିଛନ୍ତି, ସେମାନେ ଏବେ ଚାହୁନାହାନ୍ତି ଯେ ଭାରତୀୟମାନେ ସେମାନଙ୍କ ସମ୍ପତ୍ତିକୁ ସେମାନଙ୍କ ପିଲାମାନଙ୍କୁ ହସ୍ତାନ୍ତର କରନ୍ତୁ।

ସୂଚନାଯୋଗ୍ୟ, ଏକ ସାକ୍ଷାତ୍‌କାରରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିତ୍ରୋଡ଼ା ସମ୍ପତ୍ତିର ପୁନର୍ବଣ୍ଟନ ଉପରେ ତାଙ୍କ ଦଳର ଆଭିମୁଖ୍ୟକୁ ସମର୍ଥନ କରିବା ସହ କେତେକ ଆମେରିକୀୟ ରାଜ୍ୟରେ ପ୍ରଚଳିତ ଉତ୍ତରାଧିକାର ଟିକସକୁ ଉଦାହରଣ ଦେଇ ଏଥିପାଇଁ ଏକ ନୀତି ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି। ଆମେରିକାରେ ଯଦି କାହା ପାଖରେ ୧୦୦ ନିୟୁତ ଡଲାର ସମ୍ପତ୍ତି ଅଛି, ତାଙ୍କର ମୃତ୍ୟୁ ପରେ ତାଙ୍କ ପିଲାମାନେ କେବଳ ୪୫% ସମ୍ପତ୍ତି ପାଇପାରିବ ଏବଂ ବାକି ୫୫% ସରକାରଙ୍କ ପାଖକୁ ଯିବ। ଏହା ମୋତେ ଠିକ୍ ଲାଗୁଛି ବୋଲି ପିତ୍ରୋଡ଼ା କହିଛନ୍ତି। ପିତ୍ରୋଡ଼ାଙ୍କ ମନ୍ତବ୍ୟ ପରେ ବିଜେପି କଂଗ୍ରେସକୁ ସମାଲୋଚନା କରିଛି। ଦଳୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ଲୋକଙ୍କ କଠିନ ପରିଶ୍ରମରେ ଅର୍ଜିତ ସମ୍ବଳକୁ ହଡ଼ପ କରିବାକୁ ଚାହୁଛି। ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବା ପରେ ପିତ୍ରୋଡ଼ା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବୟାନକୁ ବିକୃତ କରାଯାଇଛି।