ନୂଆଦିଲ୍ଲୀ: ଭାରତ ଓ ଜାପାନର ନିବିଡ଼ ମୈତ୍ରୀ ସାରା ବିଶ୍ବ ପାଇଁ ଶୁଭଦାୟକ ବୋଲି ଆଜି ଜାପାନର ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଡେଙ୍କ ସହ ଚମତ୍କାର ବୈଠକ ଉପରାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଉପକାରୀ ବନ୍ଧୁମାନଙ୍କ ମଧ୍ୟରୁ ଜାପାନ ଅନ୍ୟତମ। ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ଚମତ୍କାର ବୈଠକରେ ଆଲୋଚନା କରିଥିବା ବିବିଧ ପ୍ରସଙ୍ଗ ଦୁଇ ଦେଶ ମଧ୍ୟସ୍ଥ ସହଯୋଗିତାକୁ ଆହୁରି ଅଗ୍ରଗାମୀ କରାଇବ। ଭାରତ ଓ ଜାପାନର ନିବିଡ଼ ମୈତ୍ରୀ ସାରା ବିଶ୍ବ ପାଇଁ ଶୁଭଦାୟକ।
କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଜିର ପ୍ରତ୍ୟକ୍ଷ ସାକ୍ଷାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସୁଗାଙ୍କୁ ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ଏବଂ ନେତୃତ୍ବ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ସମ୍ପ୍ରତି ପ୍ରଧାନମନ୍ତ୍ରୀ ଏବଂ ପୂର୍ବରୁ ମୁଖ୍ୟ କ୍ୟାବିନେଟ୍ ସଚିବ ଭାବେ ଗତ କେତେ ବର୍ଷ ହେଲା ସୁଗା ‘ଇଣ୍ଡିଆ-ଜାପାନ ସ୍ପେସାଲ୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଗ୍ଲୋବାଲ୍ ପାର୍ଟନର୍ସିପ୍’ରେ ବହୁ ଉନ୍ନତି କରାଇଛନ୍ତି।
/sambad/media/post_attachments/wp-content/uploads/2021/09/PM-Modi-with-Japan-PM-Yoshihide-Suga-1024x566.jpg)
ବୈଶ୍ବିକ ମହାମାରୀ ବାତାବରଣରେ ଟୋକିଓ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ କ୍ରୀଡ଼ା ସୁଚାରୁରୂପେ ଆୟୋଜନ କରିଥିବାରୁ ଜାପାନୀ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଉଭୟ କୋଭିଡ୍-୧୯ ଓ ତା’ର ମୁକାବିଲା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିବା ଅନୁସାରେ, ୨୦୨୦ ସେପ୍ଟେମ୍ବରର ସୁଗା ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ସମୟରୁ ଦୁଇ ନେତା ଟେଲିଫୋନ୍ ଯୋଗେ ୩ ଥର କଥାବାର୍ତ୍ତା ହୋଇଥିବା ଘଟଣା ମଧ୍ୟ ସ୍ମରଣ କରିଥିଲେ। ସମ୍ପ୍ରତି ‘କ୍ବାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀ’ରେ ଯୋଗ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ପ୍ରଧାମନ୍ତ୍ରୀଙ୍କ ସହ ଦୁଇ ଦେଶର ବହୁମୁଖୀ ବନ୍ଧୁତ୍ବ ବିଷୟରେ ଆଲୋଚନା କରିବା ସହ ସାମ୍ପ୍ରତିକ ବିଶ୍ବ ପରିସ୍ଥିତି ପ୍ରସଙ୍ଗ ମଧ୍ୟ ଆଲୋଚନା କରିଛନ୍ତି।