କୋଭିଡ୍‌ରେ ବାପା ମା’ଙ୍କୁ ହରାଇଥିବା ଛାତ୍ରୀ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଭୋପାଳ ଟପର

ଭୋପାଳ : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଭୋପାଳର ଟପର ହୋଇଛନ୍ତି ବନୀଶା ପାଠକ। ୧୬ ବର୍ଷୀୟା ବନୀଶା ଇଂରାଜି, ସଂସ୍କୃତ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି। ଅନ୍ୟପକ୍ଷେ ସେ ଗଣିତରେ ୯୭ ନମ୍ବର ରଖିଛନ୍ତି। କରୋନାରେ ନିଜ ବାପା ମା’ ଉଭୟଙ୍କୁ ହରାଇଥିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ସହ ଅଧ୍ୟୟନ ଜାରି ରଖିଥିବା ବନୀଶାଙ୍କ ପାଇଁ ଏହା ଏକ ବହୁତ ବଡ଼ ସଫଳତା।

ପରୀକ୍ଷାର ମାତ୍ର କିଛି ଦିନ ପୂର୍ବରୁ ସେ ତାଙ୍କ ବାପା ମା’ ଉଭୟଙ୍କୁ ହରାଇ ଦେଇଥିଲେ। ତାଙ୍କ ଦୁନିଆ ପୂରା ଅନ୍ଧକାରମୟ ହୋଇ ଯାଇଥିଲା। ବାପା ମା’ ଉଭୟ ହସ୍ପିଟାଲ୍‌‌ରେ ୨ ଦିନ ମଧ୍ୟରେ ଆଗ ପଛ ହୋଇ ଆଖି ବୁଜି ଦେଇଥିଲେ। ବନୀଶା ଖୁବ୍‌ ଭାଙ୍ଗି ପଡ଼ିଥିଲେ। କିନ୍ତୁ ବାପା ମା’ଙ୍କ ସ୍ବପ୍ନ ସାକାର କରିବାପାଇଁ ସେ ପୁଣିଥରେ ଦୃଢ଼ ହୋଇଥିଲେ ଏବଂ ପାଠ ପଢ଼ିଥିଲେ। ବାପା ମା’ଙ୍କ ସ୍ମୃତିକୁ ଧରି ସେମାନଙ୍କ ସ୍ବପ୍ନକୁ ପୂରଣ କରିବାପାଇଁ ଦୃଢ଼ମନା ହୋଇ ପଢ଼ାରେ ଧ୍ୟାନ ଦେଇଥିଲେ। ଏବେ ବନୀଶାଙ୍କ ପରିବାରରେ କେବଳ ତାଙ୍କ ସାନ ଭାଇ। ବନୀଶା ଏବେ ମାମୁଁ, ମାଇଁଙ୍କ ପାଖରେ ରହୁଛନ୍ତି। ତାଙ୍କ ବାପା ଜୀତେନ୍ଦ୍ର କୁମାର ପାଠକ ଜଣେ ଆର୍ଥିକ ପରାମର୍ଶଦାତା ଏବଂ ମା’ ସରକାରୀ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଥିଲେ। ବନୀଶା କହିଛନ୍ତି, ତାଙ୍କ ମା’ ଘରୁ ହସ୍ପିଟାଲ୍‌ ଯିବା ସମୟରେ ତାଙ୍କୁ କହିଥିଲେ, ନିଜ ଉପରେ ବିଶ୍ବାସ ରଖ, ଆମେ ଖୁବ୍‌ ଶୀଘ୍ର ଫେରି ଆସିବୁ। ବାପା କହିଥିଲେ ଦୃଢ଼ ହେବାପାଇଁ।

କିନ୍ତୁ ବାପା ମା’ କେହି ଫେରିଲେନି। ବନୀଶାଙ୍କ ପାଖରେ ସେମାନଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ବନୀଶାଙ୍କ ବାପା ତାଙ୍କୁ ସବୁବେଳେ ଆଇଆଇଟି କିମ୍ବା ଭାରତୀୟ ପ୍ରାଶାସନିକ ସେବାରେ ରହିବା ପାଇଁ ଚାହିଥିଲେ। ବାପାଙ୍କ ସ୍ବପ୍ନ ପୂରଣ ପାଇଁ ମୁଁ ଦୃଢ଼ତାର ସହ ଆଗକୁ ବଢ଼ିବି ବୋଲି ବନୀଶା କହିଛନ୍ତି।

ସମ୍ବନ୍ଧିତ ଖବର