ମୁମ୍ବାଇ: ଜନୈକା ସୁଇସ୍ ମହିଳା ବିଦ୍ୟା ଫିଲିପନ ଗତ ଏକ ଦଶନ୍ଧି ଧରି ମୁମ୍ବାଇରେ ନିଜ ଜନ୍ମଦାତ୍ରୀ ମାଆଙ୍କୁ ଖୋଜୁଛନ୍ତି। ତାଙ୍କ ପାଖରେ ଏକମାତ୍ର ସୂତ୍ର ହେଉଛି ମା’ଙ୍କ ଉପନାମ ଏବଂ ଠିକଣା, ଯାହା ବର୍ତ୍ତମାନ ଅସ୍ତିତ୍ୱରେ ନାହିଁ। ଫିଲିପନ ୧୯୯୬ ମସିହା ଫେବ୍ରୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା’ ତାଙ୍କୁ ମିସନାରି ଅଫ୍ ଚାରିଟିରେ ଛାଡ଼ି ଚାଲିଯାଇଥିଲେ। ସେଠାରୁ ୧୯୯୭ ମସିହାରେ ତାଙ୍କୁ ଏକ ସ୍ୱିସ୍ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସୁଇଜରଲ୍ୟାଣ୍ଡ ନେଇଯାଇଥିଲେ।
ଫିଲିପନ ଏବେ ରାଓ୍ୱଲପଡ଼ା, ଦହିସର ଏବଂ ମୁମ୍ବାଇରେ ନିଜର ମୂଳ ଖୋଜିବା ପାଇଁ ଭାରତ ଆସିଛନ୍ତି। ସେ ଭିଲେ ପାର୍ଲେ ଅଞ୍ଚଳରେ ଅବସ୍ଥିତ ମଦର ଟେରେସାଙ୍କ ମିସନାରି ଅଫ୍ ଚାରିଟିକୁ ଯାଇଥିଲେ ଯେଉଁଠାରେ ତାଙ୍କ ମା’ ତାଙ୍କୁ ଛାଡି ଚାଲିଯାଇଥିଲେ। ସେ ଦହିସର ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ତାଙ୍କ ମା’ ରହୁଥିଲେ କିନ୍ତୁ ସେ ଠିକଣା ଏବେ ନାହିଁ। କିନ୍ତୁ ଫିଲିପନ୍ ଆଶା ରଖିଛନ୍ତି ଯେ ସେ ଦିନେ ତାଙ୍କ ଜନ୍ମଦାତ୍ରୀ ମା’ଙ୍କୁ ପାଇବେ। ଫିଲିପନ୍ଙ୍କୁ ତାଙ୍କ ମା’ଙ୍କୁ ଖୋଜିବାରେ ସହଯୋଗ କରୁଥିବା ଆଡପ୍ଟି ରାଇଟ୍ସ କାଉନସିଲ୍ର ନିର୍ଦେଶିକା ଆଡଭୋକେଟ୍ ଅଞ୍ଜଳି ପାୱାର କହିଛନ୍ତି, ତାଙ୍କ ମାଆଙ୍କ ନାଁ ଜଣାନାହିଁ କିନ୍ତୁ ତାଙ୍କ ଉପନାମ ଥିଲା କାମ୍ବଲି ଏବଂ ସେ ଦହିସରରେ ରହୁଥିଲେ। କିନ୍ତୁ ଏହା ଏକ ଦ୍ରୁତଗତିରେ ବଦଳୁଥିବା ସହର ହୋଇଥିବାରୁ ଏବଂ ବହୁ ଲୋକ ଏହି ଅଞ୍ଚଳକୁ ଆସି ଘରଦ୍ବାର କରି ବସବାସ କରୁଥିବାରୁ ପୁରୁଣା ଠିକଣା ଖୋଜିବା କଷ୍ଟକର ହୋଇପଡ଼ିଛି।