ଝିଅକୁ ବଡ଼ କରିବା ପାଇଁ ତିନି ଦଶନ୍ଧି ପୁରୁଷ ବେଶରେ ରହିଥିବା ତାମିଲନାଡ଼ୁର ମହିଳା

ଚେନ୍ନାଇ: ପୁଅଝିଅ ବୁଝନ୍ତୁ କି ନ ବୁଝନ୍ତୁ ତାଙ୍କୁ ମଣିଷ କରିବା ପାଇଁ ବାପାମାଆ କେତେ କଷ୍ଟ ସହିଥାନ୍ତି, ତାହା କେବଳ ସେହିମାନେ ଜାଣିଥାନ୍ତି। ତାମିଲନାଡ଼ୁ ଥୁତୁକୁଡ଼ି ଜିଲ୍ଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ଼ କରିବା ପାଇଁ ୩୦ ବର୍ଷ ହେଲା ପୁରୁଷ ବେଶରେ ରହିଥିବା ଜଣାପଡ଼ିଛି। ତିନି ଦଶନ୍ଧି ତଳେ ଥୁତୁକୁଡ଼ି ଜିଲ୍ଲା ଅନ୍ତର୍ଗତ କାଟୁନାୟକ୍କାନପତ୍ତି ଗାଁର ୨୦ ବର୍ଷୀୟା ପେଚିୟାମ୍ମଲ ବିବାହର ୧୫ ଦିନ ପରେ ହୃଦ୍‌ଘାତରେ ସ୍ବାମୀଙ୍କୁ ହରାଇଲେ। ଝିଅଟିକୁ ଜନ୍ମ ଦେବା ପରେ ତାକୁ ବଡ଼ କରିବା ପାଇଁ ସେ କାମ କଲେ କିନ୍ତୁ ଅନ୍ୟମାନଙ୍କର ଖରାପ ନଜରର ଶିକାର ହେଲେ। ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ହଇରାଣ ହରକତ ବି କରାଯାଉଥିଲା। ପେଚିୟାମ୍ମଲ ନିଷ୍ପତ୍ତି ନେଲେ ଆଉ ବାହା ନ ହୋଇ ନିଜର ଏକମାତ୍ର ଝିଅକୁ ମଣିଷ କରିବେ। ତେଣୁ ଅନ୍ୟର କୁନଜରରୁ ବର୍ତ୍ତିବା ପାଇଁ ସେ ପୁରୁଷ ବେଶ ଧାରଣ କରି ପେଚିୟାମ୍ମଲରୁ ହୋଇଗଲେ ମୁଥୁ।

ପେଚିୟାମ୍ମଲ ନିଜର ଚୁଟି କାଟି ଛୋଟ କରିଦେଲେ ଏବଂ ଶାଢ଼ି ବଦଳରେ ପୁରୁଷଙ୍କ ପରି ଲୁଙ୍ଗି ଓ ଜାମା ପିନ୍ଧିଲେ। ଗତ ତିନି ଦଶନ୍ଧି ଧରି ମୁଥୁ ବେଶରେ ସେ ଚେନ୍ନାଇ ଓ ଥୁତୁକୁଡ଼ିରେ ବିଭିନ୍ନ ଚା ଦୋକାନ ଓ ହୋଟେଲ ପ୍ରଭୃତିରେ କାମ କରି ଗୁଜରାଣ ମେଣ୍ଟାଇବାକୁ ଲାଗିଲେ। ପରଟା ଓ ଚା ଦୋକାନରେ କାମ କଲାବେଳେ ମୁଥୁଙ୍କୁ ଲୋକେ ମୁଥୁ ମାଷ୍ଟର ବୋଲି ଡାକିଲେ। ପେଚିୟାମ୍ମଲ କହନ୍ତି, ସେ ପେଣ୍ଟର, ଚା ମାଷ୍ଟର, ପରଟା ମାଷ୍ଟର ପରି ବହୁ ପ୍ରକାର କାମ କରିଛନ୍ତି। ନିଜ ଝିଅର ଭବିଷ୍ୟତ ଜୀବନକୁ ସୁରକ୍ଷିତ କରିବା ପାଇଁ ସେ ପାଉଥିବା ପ୍ରତ୍ୟେକ ପଇସା ସଞ୍ଚୁଥିଲେ। ପରେ ଆଧାର, ଭୋଟର କାର୍ଡ, ବ୍ୟାଙ୍କ ଖାତା ସବୁଥିରେ ତାଙ୍କର ପରିଚୟ ମୁଥୁ ହୋଇଗଲା। ପେଚିୟାମ୍ମଲଙ୍କ ବୟସ ଏବେ ୫୭। ଝିଅର ବାହାଘର ସରିବା ପରେ ଏବେ ସେ ତାଙ୍କର ଆଶା ପୂରଣ ହୋଇଛି ଓ ଦାୟିତ୍ବ ଶେଷ ହୋଇଛି ବୋଲି କୁହନ୍ତି। କିନ୍ତୁ ଏବେ ବି ସେ ନିଜର ମୁଥୁ ନାମକୁ ଆଉ ବଦଳାଇବାକୁ ଚାହୁନାହାନ୍ତି। ସେ ମୃତ୍ୟୁ ପର୍ଯ୍ୟନ୍ତ ଏଇ ପରିଚୟରେ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର