ନୂଆଦିଲ୍ଲୀ: ମଣିପୁରରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ) ସଦସ୍ୟଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ସୁପ୍ରିମ୍କୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ସେମାନେ ତାଙ୍କ ବିରୋଧରେ ରହିଥିବା ମାମଲାକୁ ରଦ୍ଦ କରିବା ପାଇଁ ଆବେଦନ କରିଥିବା ବେଳେ ଏହି ଆବେଦନର ବିଚାର ପାଇଁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ନେଇ କୋର୍ଟ ମଣିପୁର ସରକାରଙ୍କ ମତାମତ ଲୋଡ଼ିଛନ୍ତି।
ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହ ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତ ଚାରିଜଣ କୌଣସି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ନ ଥିବା ବେଳେ ଇଜିଆଇର ଏକ ସତ୍ୟ ଯାଞ୍ଚ କମିଟିର ରିପୋର୍ଟ ଭିତ୍ତିରେ କିପରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଗଲା ତାହା ଉପରେ କୋର୍ଟ ଶୁଣାଣି କରିଥିଲେ। ସୁପ୍ରିମ୍କୋର୍ଟ କହିଥିଲେ ଯେ, ସେମାନେ ମାମଲାକୁ ଖାରଜ କରିବାକୁ ଚାହାନ୍ତି ନାହିଁ। ତେବେ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ କିମ୍ବା ମଣିପୁର ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ଚାହାନ୍ତି। ମଣିପୁର ସରକାର ଏହା ଉପରେ ନିଜର ମତାମତ ଦେବାକୁ କୋର୍ଟ ଆଦେଶ ଦେଇଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ରେ ହେବ ଏବଂ ସେପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି କହିଛନ୍ତି।
ଅଭିଯୁକ୍ତମାନଙ୍କ ତରଫରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଶ୍ୟାମ ଦିବାନ କହିଥିଲେ ଯେ, ସତ୍ୟ ଯାଞ୍ଚ କରିବା ପାଇଁ ମଣିପୁର ଯିବାକୁ ସେନା ପକ୍ଷରୁ ଇଜିଆଇ ସଦସ୍ୟମାନଙ୍କୁ ଏକ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଥିଲା। ସେମାନେ ଯେଉଁ ରିପୋର୍ଟ ପ୍ରକାଶ କରିଥିଲେ ତାହା ବ୍ୟକ୍ତିନିଷ୍ଠ (ସବ୍ଜେକ୍ଟିଭ୍) ମତାମତକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଇଜିଆଇ ସଦସ୍ୟମାନଙ୍କୁ ଆଉ କିଛି ଦିନ ସୁରକ୍ଷା ପ୍ରଦାନ କରାଯିବାରେ ତାଙ୍କର ଆପତ୍ତି ନାହିଁ। ଏଥି ସହ ଅନ୍ୟ ମାମଲା ଭଳି ସେମାନଙ୍କ ମାମଲାକୁ ମଣିପୁର ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଉଚିତ ବୋଲି ସେ କହିଥିଲେ। କିନ୍ତୁ ଇଜିଆଇ ଏହି ପ୍ରସ୍ତାବକୁ ବିରୋଧ କରି କହିଥିଲା ଯେ ମାମଲା ସୁପ୍ରିମ୍କୋର୍ଟରେ ଶୁଣାଣି ହେଉ ନଚେତ୍ ତାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଉ କିନ୍ତୁ ମଣିପୁରକୁ ନୁହେଁ। ଇଜିଆଇ ସଦସ୍ୟଙ୍କୁ ସେମାନେ ପ୍ରକାଶ କରିଥିବା ରିପୋର୍ଟ ଭିତ୍ତିରେ କାଠଗଡ଼ାକୁ ଟଣାଯାଇ ପାରିବ ନାହିଁ ବୋଲି ସିବଲ କହିଥିଲେ।