ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ତନାଘନା ଚଳାଇଛନ୍ତି। ବିସ୍ଫୋରଣ ପାଇଁ ମାରୁତି ବ୍ରିଜା, ସ୍ୱିଫ୍ଟ ଡିଜାୟାର, ଫୋର୍ଡ ଇକୋସ୍ପୋର୍ଟ ସମେତ ୩୨ଟି କାର୍ ବିସ୍ଫୋରକ ସାମଗ୍ରୀ ପରିବହନ ଓ ଆତଙ୍କବାଦୀଙ୍କୁ ବୋମା ଯୋଗାଇବା ଆଦି କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଥିଲା। ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିବା ହୁଣ୍ଡାଇ ଆଇ-୨୦ ସହିତ ଏହି କାର୍‌ଗୁଡ଼ିକ ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ସ୍ଥାନକୁ ଟାର୍ଗେଟ୍ କରି ହେବାକୁ ଥିବା ସିରିଏଲ୍‌ ‘ପ୍ରତିଶୋଧ’ ଆକ୍ରମଣର ଏକ ଅଂଶବିଶେଷ ଥିଲା।

Advertisment

ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କାର୍‌ଗୁଡ଼ିକୁ ବଛାଯିବାର କାରଣ ହେଲା ସେଗୁଡ଼ିକ ପୁରୁଣା ଓ ଏକାଧିକ ଥର ପୁନଃବିକ୍ରି ହୋଇଛି, ଯାହା ପୁଲିସ୍ ପାଇଁ ଖୋଜିବା କଷ୍ଟସାଧ୍ୟ ହେବ। ତଥାପି ବର୍ତ୍ତମାନ ଚାରିଟି ଗାଡ଼ିର ସନ୍ଧାନ ମିଳିଛି। ହରିୟାଣାର ଫରିଦାବାଦରେ ଥିବା ଅଲ୍‌-ଫଲାହ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପରିସରରେ ବ୍ରିଜା-ଏଚ୍ଆର୍୮୭ୟୁ-୯୯୮୮ ମିଳିଥିଲା, ଯାହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବରେ ଉଭା ହୋଇଛି। ବୁଧବାର ବିଳମ୍ବିତ ରାତିରେ ହରିୟାଣାର ଫରିଦାବାଦରେ ପରିତ୍ୟକ୍ତ ଅବସ୍ଥାରେ ଇକୋସ୍ପୋର୍ଟ (ପଞ୍ଜୀକରଣ ନମ୍ବର ଡିଏଲ୍ ୧୦ ସିକେ୦୪୫୮) ଗାଡ଼ି ମିଳିଥିଲା। ଜଣେ ଯୁବକ ପଛ ସିଟ୍‌ରେ ଶୋଇଥିବାର ଦେଖିବାକୁ ମିଳିଥିଲା ଏବଂ ତାକୁ ଗିରଫ କରାଯାଇଛି। ସୋମବାର ଡିଜାୟାରକୁ ଜବତ କରାଯାଇଥିଲା; କାରରୁ ଏକ ଆସଲ୍‌ଟ ରାଇଫଲ ଓ ଗୁଳିଗୋଳା ମିଳିଥିଲା। ଲାଲ୍ ରଙ୍ଗର ଫୋର୍ଡ ଇକୋସ୍ପୋର୍ଟ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିଲା। ଲାଲକିଲ୍ଲା ବିସ୍ଫୋରଣରେ ଆଇ-୨୦ କାର୍ ବ୍ୟବହୃତ ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। 

ଆଇ୨୦ ସୋମବାର ସକାଳେ ବଦରପୁର ସୀମା କ୍ରସିଂରେ ଦିଲ୍ଲୀରେ ପ୍ରବେଶ କରି କିଛି ଘଣ୍ଟା ପାଇଁ ସହରରେ ବୁଲୁଥିଲା। ଲାଲକିଲ୍ଲାର ପାର୍କିଂ ସ୍ଥାନରେ ଏହାକୁ ବିସ୍ଫୋରଣ କରିବା ପାଇଁ ଯୋଜନା ଥିଲା ବୋଲି ଜଣାପଡ଼ିଛି। ଦୀପାବଳି (ଅକ୍ଟୋବର ୨୧)ରେ ଆକ୍ରମଣ ପାଇଁ ମଧ୍ୟ ଯୋଜନା ହୋଇଥିଲା ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ତେବେ ସୋମବାର ଲାଲକିଲ୍ଲା ପରିଦର୍ଶକଙ୍କ ପାଇଁ ବନ୍ଦ ଥିବାରୁ ମହମ୍ମଦ ଉମର ଯୋଜନାକୁ ବଦଳାଇ ଦୁର୍ଗର ପ୍ରବେଶଦ୍ୱାର ବାହାରେ ମେଟ୍ରୋ ଷ୍ଟେସନ୍‌ ନିକଟରେ ବୋମା ବିସ୍ଫୋରଣ କରିଥିଲା। ଉମର ତାର ସହଯୋଗୀ ଆଦିଲ ଅହମଦ ରାଥର, ମୁଜାମିଲ୍‌ ସକିଲ ଓ ଶାହୀନ ସୟିଦଙ୍କ ଗିରଫଦାରୀ ପରେ ବିଚଳିତ ହୋଇ ପଡ଼ିଥିଲା। ଫରିଦାବାଦର ଅଲ୍‌-ଫଲାହ ହସ୍ପିଟାଲ ଏବଂ ଜମ୍ମୁ-କାଶ୍ମୀରର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ଆତଙ୍କବାଦୀଙ୍କ ଦ୍ୱାରା ଗଚ୍ଛିତ ଥିବା ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଓ ଆସଲ୍‌ଟ ରାଇଫଲ ଧରାପଡ଼ିବା ପରେ ସେ ଭୟଭୀତ ହୋଇ ତରବରିଆ ଭାବେ ଏହି ବିସ୍ଫୋରଣ ଘଟାଇଥିବା ଅନୁମାନ କରାଯାଉଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଏହି ଆତଙ୍କବାଦୀ ସେଲ୍ ପରିଚାଳନା କରୁଥିଲା। ସ୍ଥାନୀୟ ସମ୍ପ୍ରଦାୟର ବିଶ୍ୱାସ ହାସଲ କରିବା ଏବଂ ଯେକୌଣସି ସନ୍ଦେହକୁ ଦୂର କରିବା ପାଇଁ ଏହି ଆତଙ୍କବାଦୀମାନେ ହ୍ୱାଇଟ୍ କଲାର (ଡାକ୍ତର) ପେସାଦାର ଭାବରେ ପରିଚୟ ଦେଉଥିଲେ।