ହିଜାବ ବିବାଦ ନେଇ ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠରେ ଶୁଣାଣି ଜାରି: ଧାର୍ମିକ ପୋଷାକ ନ ପିନ୍ଧିବାକୁ ପରାମର୍ଶ

ସୋମବାରରୁ ଖୋଲିବ ଶିକ୍ଷାନୁଷ୍ଠାନ, ଦିଲ୍ଲୀରେ ହିଜାବ ସମର୍ଥନରେ ଆନ୍ଦୋଳନ, ମୁସଲିମ ମହିଳାଙ୍କ ଅଧିକାରକୁ କ୍ଷୁଣ୍ଣ କରିବା, ପାଇଁ ଚେଷ୍ଟା ଚାଲିଛି: ମୋଦୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠରେ ଆଜି ହିଜାବ ବିବାଦର ଶୁଣାଣି ଆରମ୍ଭ ହୋଇଛି। ହାଇକୋର୍ଟ ଆଜି ଅନ୍ତରୀଣ ରାୟ ଦେଇ କହିଛନ୍ତି, ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ମାମଲାର କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ହିଜାବ, ଗେରୁଆ ସାଲ୍‌ କିମ୍ବା ଧର୍ମକୁ ନେଇ ଅନ୍ୟ କୌଣସି ପୋଷାକ ପିନ୍ଧି ପାରିବେ ନାହିଁ ଯାହା ବିବାଦ ସୃଷ୍ଟିର କାରଣ ପାଲଟୁଛି। କୋର୍ଟ କହିଛନ୍ତି, ଶାନ୍ତି ଏବଂ ସ୍ଥିରତା ବଜାୟ ରହିବା ଉଚିତ୍‌। କୋର୍ଟ ମଧ୍ୟ ରାଜ୍ୟରେ ସମସ୍ତ ସ୍କୁଲ୍‌ ପୁନର୍ବାର ଖୋଲିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଋତୁ ରାଜ ଅୱସ୍ଥି, ଜଷ୍ଟିସ୍‌ କ୍ରୀଷ୍ଣା ଏସ୍‌ ଦିକ୍ଷୀତ ଏବଂ ଜଷ୍ଟିସ୍‌ ଖାଜି ଜୈବୁ‌ନ୍ନେସା ମୋହିଉଦ୍ଦିନଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ହିଜାବ ମାମଲାରେ ଅନ୍ତରୀଣ ରାୟ ଦେବା ସହ ମାମଲାର ଶୁଣାଣିକୁ ଆସନ୍ତା ସୋମବାରକୁ ସ୍ଥଗିତ ରଖିଛନ୍ତି। ଆଜି ଶୁଣାଣି ଆରମ୍ଭ କରି ମୁଖ୍ୟ ବିଚାରପତି ଆଡଭୋକେଟ୍‌ ଜେନେରାଲ୍‌ ପ୍ରଭୁଲିଙ୍ଗ ନବଦାଗିଙ୍କୁ ରାଜ୍ୟରେ ସ୍କୁଲ୍‌ ଖୋଲିବା ପାଇଁ କହିଥିଲେ। ମୁଖ୍ୟ ବିଚାରପତି କହିଥିଲେ ରାଜ୍ୟରେ ସ୍କୁଲ୍‌ ବନ୍ଦ ରହିବା ଗ୍ରହଣୀୟ ନୁ‌ହେଁ। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଣିଥରେ କ୍ଲାସ୍‌ ଆରମ୍ଭ କରିବାକୁ କୋର୍ଟ କହିଛନ୍ତି।

ଅନ୍ୟପକ୍ଷେ ହିଜାବ ପାଇଁ ଯୁକ୍ତି ବାଢ଼ିଥିବା ଆବେଦନକାରୀ କହିଛନ୍ତି, ଛାତ୍ରୀମାନେ ହିଜାବ ପିନ୍ଧିଲେ କୌଣସି କ୍ଷତି ହେବନାହିଁ। ହିଜାବ ଏକ ମୌଳିକ ଅଧିକାର। ଏହା ଅନ୍ୟମାନଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବନି। ତେଣୁ ୟୁନିଫର୍ମ ପରି ହିଜାବ ପିନ୍ଧିବାପାଇଁ ଅନୁମତି ମିଳିବା ଦରକାର। ଉଲ୍ଲେଖଯୋଗ୍ୟ, ଗତ ମାସରେ ଉଡ଼ୁପିର ପିୟୁ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଉଗ୍ର ରୂପ ନେଇଛି।

ଦିଲ୍ଲୀରେ ହିଜାବ ସମର୍ଥନରେ ଆନ୍ଦୋଳନ
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ କର୍ଣ୍ଣାଟକ ଭବନ ସମ୍ମୁଖରେ ଆଜି ହିଜାବ ସମର୍ଥନରେ ଆନ୍ଦୋଳନ ହୋଇଛି। ହିଜାବ ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏହିଦିନ ଦିଲ୍ଲୀ ସ୍ଥିତ କର୍ଣ୍ଣାଟକ ଭବନ ବାହାରେ ଆନ୍ଦୋଳନ ହୋଇଛି। ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ବିଭିନ୍ନ ଛାତ୍ର ସଂଗଠନର ସଦସ୍ୟ ହିଜାବ ସମର୍ଥନରେ ବି‌କ୍ଷୋଭ ଓ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ ଏକ ସ୍ମାରକ ପତ୍ର ଦାଖଲ କରିବାକୁ ଚାହୁଥିଲେ। କିନ୍ତୁ ‌ପୁଲିସ ସେମାନଙ୍କୁ ଆନ୍ଦୋଳନସ୍ଥଳରୁ ଅଟକ ରଖିଛି। କୌଣସି ଅପ୍ରୀତିକର ସ୍ଥିତି ନଉପୁଜିବା ପାଇଁ କର୍ଣ୍ଣାଟକ ଭବନ ବାହାରେ ଆଜି ବ୍ୟାପକ ପୁଲିସ ମୁତୟନ ହୋଇଥି‌ଲେ। ପୁଲିସ ମଧ୍ୟ ଆଜି କର୍ଣ୍ଣାଟକ ଭବନ ଅଭିମୁଖେ ଯାଉଥିବା ସମସ୍ତ ଅଟୋରିକ୍ସା ଏବଂ କାର୍‌କୁ ଅଟକାଇ ସେମାନଙ୍କ ଆଇଡି ଚେକ୍‌ କରିଥିଲା।

ମୁସଲିମ ମହିଳାଙ୍କ ଅଧିକାରକୁ କ୍ଷୁଣ୍ଣ କରିବା
ପାଇଁ ଚେଷ୍ଟା ଚାଲିଛି: ମୋଦୀ
ସାହାରନପୁର: ହିଜାବ ବିବାଦ ଭିତରେ ମୁସଲମାନ ମହିଳାଙ୍କ ନକଟତର ହେବା ପାଇଁ ଚେଷ୍ଟା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଏକ ନିର୍ବାଚନୀ ରୢାଲିରେ କହିଲେ ଯେ ଭାରତରେ କିଛି ଲୋକ ମୁସଲମାନ ମହିଳାଙ୍କ ଅଧିକାର ଓ ବିକାଶକୁ ପ୍ରତିହତ କରିବା ପାଇଁ ନୂଆ ନୂଆ ବାଟ ବାହାର କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶରେ କିନ୍ତୁ ମୁସଲମାନ ମହିଳାଙ୍କ ବିକାଶ ନିମନ୍ତେ ବିଜେପି ସରକାରର ଜରୁରୀ ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଲେ ଯେ, ବିଜେପି ସରକାର ମୁସଲିମ ମହିଳାଙ୍କୁ ତିନି ତଲାକରୁ ମୁକ୍ତି ଦେଇଛି। ଯେତେବେଳେ ମୁସଲମାନ ମହିଳାମାନେ ବିଜେପି ସରକାରକୁ ଖୋଲାଖୋଲି ସମର୍ଥନ କରିବାକୁ ଆରମ୍ଭ କଲେ ବିରୋଧୀମାନେ ଶଙ୍କିଗଲେ। କିନ୍ତୁ ଆମେ ପ୍ରତ୍ୟେକ ମୁସଲମାନ ମହିଳାଙ୍କ ସମସ୍ୟାରେ ଠିଆହେବୁ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର