ଗାଜିଆବାଦ କୋର୍ଟରେ ବାଘ ପଶିଲା: ୧୪ ଆହତ, ୪ ଘଣ୍ଟାର କସରତ ପରେ କାବୁ

ନୂଆଦିଲ୍ଲୀ: ଗାଜିଆବାଦ କୋର୍ଟ ପରିସରରେ ଆଜି ଏକ ବାଘ ପଶିଯାଇଥିଲା। ପ୍ରାୟ ୪ ଘଣ୍ଟା କାଳ କୋର୍ଟ ପରିସରରେ ଏକ କଲରାପତରିଆ ବାଘ ଆତଙ୍କ ଖେଳାଇ ଦେଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ବାଘଟି କୋର୍ଟର ପ୍ରଥମ ମହଲାରେ ପହଞ୍ଚିଥିଲା। ହଠାତ କୋର୍ଟ ପରିସରରେ ବାଘ ଦେଖି ସମସ୍ତେ ନିଜ ନିଜର ସୁରକ୍ଷା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଆଇନଜୀବୀମାନେ ନିଜକୁ ରୁମ୍‌ରେ ବନ୍ଦ କରିଦେଇଥିଲେ। ବାଘଟି ପ୍ରଥମେ କୋର୍ଟ ପରିସରରେ ଜୋତା ମରାମତି କରୁଥିବା ଜଣେ ମୋଚି ଏବଂ ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲା। ବାଡ଼ି ଧରି ବାଘକୁ ଘଉଡ଼ାଇବାକୁ ଯାଇଥିବା ଜଣେ ଆଇନଜୀବୀ ମଧ୍ୟ ବାଘ ଆକ୍ରମଣର ଶିକାର ହୋଇଛନ୍ତି।

ପରବିନ୍ଦର ନଗର ନାମକ ଜଣେ ଆଇନଜୀବୀ କହିଛନ୍ତି, ବାଘ ଆକ୍ରମଣ ଯୋଗୁଁ ୫ ଜଣ ଆଇନଜୀବୀ ସମେତ ମୋଟ୍‌ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି। ପୁଲିସ ଖବର ପାଇବାପରେ ସଙ୍ଗେ‌ସଙ୍ଗେ ଆମ୍ବୁଲାନ୍ସ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ଆସିଷ୍ଟାଣ୍ଟ ପୁଲିସ କମିସନର ଅଭିଷେକ ଶ୍ରୀବାସ୍ତବ କହିଛନ୍ତି। ଖବର ପାଇ ବନ ବିଭାଗର ଏକ ଟିମ୍‌, ଗାଜିଆବାଦ ଜିଲ୍ଲାପାଳ ରାକେଶ କୁମାର ଏବଂ ଏସିପି ଦିନେଶ ପି ଘଟଣା‌ସ୍ଥଳରେ ପହଞ୍ଚିଥିଲେ। ୪ ଘଣ୍ଟାର କସରତ ପରେ ଶେଷରେ ବନ ବିଭାଗର ଅଧିକାରୀମାନେ ବାଘକୁ କାବୁ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର