ନାମିବ୍ୟାରୁ ୮ଟି ଚିତାଙ୍କୁ ନେଇ ଆସିବ ‘ବାଘ-ମୁହାଁ’ ବିମାନ

ନୂଆଦିଲ୍ଲୀ: ଭାରତର ଜାତୀୟ ଜନ୍ତୁ ବାଘ ମୁହଁ ଅଙ୍କିତ ଗୋଟାଏ ବିମାନ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ନେଇ ଆସିବ ବୋଲି ନାମିବ୍ୟାସ୍ଥିତ ଭାରତର ହାଇକମିସନ୍‌ ସେୟାର୍‌ କରିଥିବା ଫଟୋରୁ ଜଣାପଡ଼ିଛି।

ସେୟାର୍‌ ହୋଇଥିବା ଫଟୋ ତଳେ ଲିଖିତ ପରିଚୟୋକ୍ତିରେ ଲେଖାଯାଇଛି: ‘ବ୍ୟାଘ୍ର ଦେଶ’କୁ ‘ବନ୍ଧୁବତ୍ସଳ’ ରାଜଦୂତଙ୍କୁ ନେବା ପାଇଁ ଗୋଟାଏ ବିଶେଷ ପକ୍ଷୀ ‘ସାହସୀ ଦେଶ’ରେ ଅବତରଣ କରିବ।

କେନ୍ଦ୍ର ପରିବେଶ, ଅରଣ୍ୟ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉକ୍ତ ପୋଷ୍ଟ୍‌କୁ ରିଟୁଇଟ୍‌ କରି କହିଛନ୍ତି: ଉକ୍ତ ବନ୍ଧୁବତ୍ସଳ ରାଜଦୂତଙ୍କୁ ସ୍ବାଗତ କରିବା ଲାଗି ଭାରତ ଖୁବ୍‌ ଆଗ୍ରହର ସହିତ ଅପେକ୍ଷା କରିଛି। ଦଶନ୍ଧି ଦଶନ୍ଧିର ନିରବତା ପରେ ପୁଣି ସମଗ୍ର ଦେଶ ସେମାନଙ୍କ ହେଣ୍ଟାଳ ଶୁଣିବାକୁ ଚାହିଁଛନ୍ତି।

Image Courtesy of BBC

ନାମିବ୍ୟାରୁ ଭାରତକୁ ଯେଉଁ ୮ଟି ଚିତା ଅଣାଯାଉଛି ସେମାନଙ୍କ ମଧ୍ୟରେ ଅଛି ଅପପୁଷ୍ଟି ରୋଗରୁ ସୁସ୍ଥ କରାଯାଇ ଥିବା ଗୋଟାଏ ମାଈଚିତା ଏବଂ ଏକାଠି ମିଶି ଶିକାର କରୁଥିବା ଦୁଇ ଚିତା ଭାଇ।

ମାତ୍ରାଧିକ ଶିକାର ଯୋଗୁଁ ୧୯୫୨ରୁ ଭାରତୀୟ ଚିତାବଂଶ ବିଲୁପ୍ତ ହୋଇଯାଇଥିବା କଥା ସରକାର ଘୋଷଣା କରିଥିଲେ।

ନାମିବ୍ୟାରୁ ଅଣାଯାଉଥିବା ୫ଟି ମାଈ ଓ ୩ଟି ଅଣ୍ଡିରା ଚିତାଙ୍କୁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ଛାଡ଼ିବେ।

ସମ୍ବନ୍ଧିତ ଖବର