ମୋଟ ଆକ୍ରାନ୍ତ ୫ ଲକ୍ଷ ୨୯ ହଜାର, ଦିନକରେ ୨୦ ହଜାର

ମୃତ୍ୟୁସଂଖ୍ୟା ୧୬ ହଜାର ଟପିଲା, ଗୁରୁଗ୍ରାମରେ ଜୁଲାଇରୁ ସପିଂ ମଲ ଖୋଲିବ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରୋନା ମାମଲା ପଦାକୁ ଆସିବା ଇତିମଧ୍ୟରେ ପ୍ରାୟ ୫ ମାସ ବିତିଗଲାଣି। କିନ୍ତୁ ଏହା ନିୟନ୍ତ୍ରଣକୁ ଆସୁନାହିଁ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ୨୪ ଘଣ୍ଟାରେ ଚିହ୍ନଟ ହେଉଥିବା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୂର୍ବ ରେକର୍ଡକୁ ଟପିଯାଇଛି। ଆଜି ଗୋଟିଏ ଦିନରେ ପ୍ରାୟ ୨୦ ହଜାର (୧୯,୯୦୬) କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯‌ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିଯୋଗୁ ଦେଶରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬ ହଜାର ଟପି ୧୬୦୯୫ରେ ପହଞ୍ଚିଯାଇଛି। ମୋଟ ୫ ଲକ୍ଷ ୨୮ ହଜାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୩ ହଜାର ୫୧ ଜଣଙ୍କ ଠାରେ ଏହି ଭୂତାଣୁ ସକ୍ରିୟ ରହିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୭୧୨ରେ ପହଞ୍ଚିଛି। ଅର୍ଥାତ୍ ଆରୋଗ୍ୟ ଲାଭ କରିଥିବା ଏବଂ ଦେଶରେ ଏବେ ସକ୍ରିୟ ଥିବା ‌କରୋନା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ୧ ଲକ୍ଷରୁ ଅଧିକ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୮୩୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣକୁ ଶାହଙ୍କ ଅସ୍ବୀକାର

ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। କରୋନା ସ୍ଥିତି ସମ୍ପର୍କରେ ସେ ତିନିଜଣ ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞ ଯଥା ନିତି ଆୟୋଗର ଡା. ‌ପଲ, ଆଇସିଏମଆର ମୁଖ୍ୟ ଡା. ଭାର୍ଗବ ଏବଂ ଏମ୍‌ସ ଦିଲ୍ଲୀର ନିର୍ଦ୍ଦେଶକ ଡା. ଗୁଲେରିଆଙ୍କ ସହିତ କଥା ହୋଇଛନ୍ତି। ‌ଦିଲ୍ଲୀରେ ସେଭଳି ସ୍ଥିତି ଆସିନାହିଁ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଶାହ କହିଛନ୍ତି। ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଥିଲେ, ଜୁଲାଇ ୩୧ ସୁଦ୍ଧା ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିଯିବ। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ସ୍ଥାନ ମିଳିବ ନାହିଁ। ପରିସ୍ଥିତି ଜଟିଳ ହୋଇଯିବ। ଏଥିଯୋଗୁ ଦିଲ୍ଲୀବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲା। ଅନେକ ଲୋକ ଦିଲ୍ଲୀ ଛାଡ଼ିବା ଆରମ୍ଭ କରିଦେଲେ ବୋଲି ଶାହ କହିଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ବର୍ତ୍ତମାନସୁଦ୍ଧା ସବୁଠୁ ଅଧିକ ଅର୍ଥାତ୍ ୧,୫୯,୧୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୭୨୭୩ ଜଣଙ୍କର ମୃତ୍ୟୁ ହେଲାଣି। ମହାରାଷ୍ଟ୍ର ପଛକୁ ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପିଯାଇଛି ଏବଂ ମୃତକଙ୍କ ସଂଖ୍ୟା ୨୫୫୮ରେ ପହଞ୍ଚିଛି। ଦିଲ୍ଲୀ ପଛକୁ ତାମିଲନାଡ଼ୁ ତୃତୀୟ ସ୍ଥାନରେ ରହିଛି। ଏଠାରେ ୭୮,୩୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦୨୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଜୁନ୍ ୩୦ ତାରିଖ‌ ପରେ ଲକଡାଉନ୍ ଉଠିବ ନାହିଁ। କଟକଣା କିଛିମାତ୍ରାରେ କୋହଳ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ଠିକ୍‌ ସମୟରେ ଲକ୍‌ଡାଉନ୍‌ ପାଇଁ ଭାରତ କରୋନାର ମୁକାବିଲା କରିପାରିଛି: ମୋଦୀ
ନୂଆଦିଲ୍ଲୀ: ଦେଶରେ ଠିକ୍ ସମୟରେ ଲକ୍‌ଡାଉନ୍ ଜାରି କରି ଭାରତ କରୋନାର ଉପଯୁକ୍ତ ମୁକାବିଲା କରିପାରିଛି। ଲକଡାଉନ୍ ସମୟକୁ ଉପଯୋଗ କରି ଭାରତ ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ବଢ଼ାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଶ୍ବରେ ବିଶେଷଜ୍ଞମାନଙ୍କ ଆକଳନ ତୁଳନାରେ ଭାରତ କରୋନାର ଉତ୍ତମ ପରିଚାଳନା କରିପାରିଛି। ଆମେରିକାରେ କାର୍ଯ୍ୟରତ ଭାରତୀୟ ବଶୋଦ୍ଭବ ଡାକ୍ତରମାନଙ୍କ ବାର୍ଷିକ ସମ୍ମିଳନୀକୁ ଭିଡିଓ କନ୍‌ଫରେନ୍ସିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ମହାମାରୀ ଭାରତକୁ ଆତ୍ମ ନିର୍ଭରଶୀଳ ହେବା ଶିକ୍ଷା ମଧ୍ୟ ପ୍ରଦାନ କରିଛି ବୋଲି ‌ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ଲୋକରେ ୧୨ରୁ କମ୍ ବୋଲି ସେ କହିଛନ୍ତି।

ଘରଠାରୁ ୨ କିମି ଦୂରକୁ ନଯିବା ପାଇଁ ମୁମ୍ବାଇବାସୀଙ୍କୁ ନିବେଦନ
ମୁମ୍ବାଇବାସୀମାନଙ୍କୁ ‌ରବିବାର ପୁଲିସ ଏକ ନିବେଦନ କରିଛି। ଦୋକାନ, ‌ସାଲୁନ ଏବଂ ବାୟାମ ଲାଗି ଘରଠାରୁ ୨ କିମିରୁ ଦୂରକୁ ନଯିବା ପାଇଁ କୁହାଯାଇଛି। ତେବେ ଅଫିସ ଏବଂ ଚିକିତ୍ସା ଆଦି ପାଇଁ ଲୋକମାନେ ଦୂରସ୍ଥାନକୁ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ପୁଲିସ କହିଛି।

ସମ୍ବନ୍ଧିତ ଖବର