‘କରୋନା ଭାଇରସ୍‌… ଆସୁଛି’! ୭ ବର୍ଷ ପୂର୍ବେ ଟୁଇଟରରେ ହୋଇଥିଲା ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ସଂପ୍ରତି ମହାମାରୀର ରୂପ ଧାରଣ କରି କରୋନା ଭାଇରସ୍‌ ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଛି। ତେବେ, କରୋନା ଭାଇରସ୍‌ ଆସିବ ବୋଲି ୭ ବର୍ଷ ପୂର୍ବେ ଟୁଇଟର ଜରିଆରେ ଟୁଇଟ କରି ଜଣେ ଟୁଇଟର ବ୍ୟବହାରକାରୀ ସୂଚନା ଦେଇଥିବା ଏବେ ଜାଣିବା ପାଇଁ ମିଳିଛି। ୭ ବର୍ଷ ତଳର ସେଇ ପୁରୁଣା ଟୁଇଟ୍‌ ଏବେ ଇଣ୍ଟରନେଟରେ ବ୍ୟାପକ ଭାବେ ଘୂରି ବୁଲିବା ସହ ସମଗ୍ର ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମାରକୋ ଆକ୍ରୋଟେସ୍‌ ନାମକ ଜନୈକ ଟୁଇଟର ବ୍ୟବହାରକାରୀ ବିଗତ ୨୦୧୩ ଜୁନ୍‌ ୩ ତାରଖରେ କରିଥିବା ଏକ ଟୁଇଟରେ ଉଲ୍ଲେଖ କରିଥିଲେ, ‘କରୋନା ଭାଇରସ୍‌… ଆସୁଛି’! (କରୋନା ଭାଇରସ୍‌ ଇଟସ୍‌ କମିଙ୍ଗ୍‌)!

କେହି କେହି ୭ବର୍ଷ ପୂର୍ବରୁ କରୋନାକୁ ନେଇ ମାରକୋ ଭବିଷ୍ୟବାଣୀ କରିଥିବା କହୁଥିବା ବେଳେ ଆଉ କେତେକେ ମାରକୋ ତାରଖକୁ ହ୍ୟାକ୍‌ କରି ଏପରି କରିଥିବା କହୁଛନ୍ତି। ଫଳରେ ଏହି ଟୁଇଟକୁ କେନ୍ଦ୍ରକରି ଏବେ ବିବାଦ ଓ ବିତର୍କର ସୂତ୍ରପାତ ହୋଇଛି।

News18

ଏହା ପୂର୍ବରୁ ଅବଶ୍ୟ ଡିନ୍‌ କୁଞ୍ଜ୍‌ ନାମକ ଜଣେ ଓପନ୍ୟାସିକ ୧୯୮୧ରେ ରଚନା କରିଥିବା ତାଙ୍କର ଏକ ଥ୍ରିଲର ଉପନ୍ୟାସ ‘ଦ ଆଇସ୍‌ ଅଫ୍‌ ଡାର୍କନେସ୍‌’ରେ ଏହି କରୋନା ଭାଇରସ୍‌ କଥା ଉଲ୍ଲେଖ କରିଥିଲେ। ଅବଶ୍ୟ ସେ ଏହି ଭାଇରସ୍‌ର ନାମ ରଖିଥିଲେ ‘ଉହାନ-୪୦୦’। ଯାହାକୁ ନରସଂହାର ରଚିବା ଲକ୍ଷ୍ୟରେ ଚୀନ୍‌ ସେନା ନିଜର ପରୀକ୍ଷାଗାରରେ ସୃଷ୍ଟି କରିଥିଲା। ସଂଯୋଗକ୍ରମେ, ସଂପ୍ରତି ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ମଧ୍ୟ ଚୀନ୍‌ର ଉହାନ୍‌ ରହିଥିଲା।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ସଂପ୍ରତି ବିଶ୍ୱର ୧୨୫ଟି ରାଷ୍ଟ୍ରକୁ କବଳିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୧.୩୫ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ଓ ୫,୦୦୦ରୁ ଅଧିକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିସାରିଲାଣି। ଭାରତରେ ଅଦ୍ୟାବଧି ୮୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି।

ସମ୍ବନ୍ଧିତ ଖବର