ଡେରାଡୁନ: ବର୍ଷା- ବନ୍ୟା- ଭୂସ୍ଖଳନ ଖାଲି ଜୀବନ ନିଏନି… ଘର ଭାଙ୍ଗେନି ବରଂ ଭୋକରେ ରଖେ, ପରିବାରକୁ ଉପାସ ପକାଏ । ଜୀବିକା ଛଡାଇ ନିଏ, ପରିବାର ପୋଷିବାରେ ବାଧା ସୃଷ୍ଟି କରେ । ଯାହାର ବଡ ଉଦାହରଣ ଆସିଛି ଉତ୍ତରାଖଣ୍ଡର ଡେରାଡୁନ ସହରରୁ । ଯେଉଁଠି ବାଦଲଫଟା ବର୍ଷା ପରେ ଶହସ୍ତ୍ରଧାରା ବଜାରରେ ହୋଟେଲ, ଦୋକାନ ବଜାର ଧୋଇଯିବା ପରେ ଉକ୍ତ ବଜାର ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ଏବଂ ପରିବାର ପୋଷୁଥିବା ବ୍ୟବସାୟୀମାନେ ମଥାରେ ହାତ ଦେଇ ବସିଛନ୍ତି ।
#WATCH | Sahastradhara, Dehradun | A vegetable shopkeeper, Bablu, says, "I used to supply vegetables to many hotels which were here, but now many have been washed away. I will have to discard the vegetables I have." pic.twitter.com/p8P8Vlcx4S
— ANI (@ANI) September 17, 2025
ଶହସ୍ତ୍ରଧାରା ବଜାରରେ ଜଣେ ପରିବା ବ୍ୟବସାୟୀ ନିଜ ଦୁଃଖ କହିଛନ୍ତି । ସେ ପରିବା ଦୋକାନ କରି ପରିବାର ପୋଷୁଥିବା ବେଳେ ଶହସ୍ତ୍ରଧାରା ବଜାରରେ ଥିବା ସମସ୍ତ ହୋଟେଲକୁ ସେ ପରିବା ଯୋଗାଇଥାନ୍ତି । ମାତ୍ର ବାଦଲଫଟା ବର୍ଷାରେ ସବୁ ହୋଟେଲ ଧୋଇଯାଇଥିବା ବେଳେ ଅନେକ ହୋଟେଲ ପୋତି ହୋଇଯାଇଛି । ତେଣୁ ଯେଉଁ ହୋଟେଲକୁ ସେ ପରିବା ଯୋଗାଇ ପେଟ ପୋଷନ୍ତି ବର୍ଷା ଓ ବନ୍ୟା ସେସବୁ ରୋଜଗାର ସ୍ଥଳ ଧୋଇ ନେଇଛି । ତାଙ୍କ ପରିବା ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ପରିବା ନଷ୍ଟ ହେବାକୁ ବସିଲାଣି । ତେଣୁ ସେ ଚିନ୍ତା କରିଛନ୍ତି ଉକ୍ତ ପରିବାକୁ ନେଇ ଲୋକଙ୍କୁ ବାଣ୍ଟି ଦେବେ ବୋଲି । ତାଙ୍କ ଘର ୫ କି.ମି ଦୂରରେ ଥିବା ବେଳେ ଘର ସୁରକ୍ଷିତ ରହିଛି ମାତ୍ର ତାଙ୍କ ରୋଜଗାରର ମାଧ୍ୟମ ଉଜୁଡିଯାଇଛି । କାମ ଧନ୍ଦା କିଛି ନଥିବାରୁ ପେଟ କେମିତି ପୋଷିବେ ଚିନ୍ତାରେ । ଏ ଯନ୍ତ୍ରଣା ଖାଲି ପରିବା ଦୋକାନୀଙ୍କର ନୁହେଁ ପୂରା ଉକ୍ତ ବଜାରରେ ଦୋକାନ କରିଥିବା ବ୍ୟବସାୟୀଙ୍କର ।
ସେପଟେ କିଛି ଦିନ ନଯାଉଣୁ ଦେବଭୂମି ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳପ୍ରଳୟ । ମାଡ଼ି ଆସିଛି ପ୍ରଳୟ । ସୋମବାର ମଝି ରାତିରେ ଡେରାଡୁନର ସହସ୍ତ୍ରଧାରାର ଦୁଇଟି ସ୍ଥାନରେ ବାଦଲ ଫାଟିବା ଯୋଗୁଁ ପ୍ରଳୟଙ୍କାରୀ ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଘରଦ୍ୱାର ଭାସିଯାଇଛି ତ କେଉଁଠି ଯାନବାହାନ କାଦୁଅ ମାଟିରେ ଫଶି ରହିଛି । ଦୁଇ ଦିନ ତଳେ ଯେଉଁଠି ଚଳଚଞ୍ଚଳ ବଜାରଘାଟ ଥିଲା ଆଜି ସେଠି ଖାଁ ଖାଁ । ସୁ ସୁ ଗର୍ଜନ କରି ପାହାଡରୁ ଖସୁଛି ପଥର କାଦୁଅ ମିଶା ବନ୍ୟାପାଣି । କାଦୁଆ ମିଶା ଗୋଳିଆ ପାଣିରେ ଭାସୁଛି ଘରଦ୍ୱାର । ପ୍ରକୃତିର ଭୟଙ୍କର ରୂପ ପରେ ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରଖିଛି ସେନା ଓ ଏନଡିଆରଏଫ ଟିମ୍ ।
ଲଗାଣବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ବଡ଼ ଗାତ ହେବା ସହ କେଉଁଠି ପଥରଖଣ୍ଡ ପଡ଼ି ରହିଛି । ଯାତାୟାତ ବାଧାପ୍ରାପ୍ତ ହେବା ସହ ଫଶି ରହିଛନ୍ତି ପର୍ଯ୍ୟଟକ । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ତେଣୁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଥଇଥାନ କରାଯାଉଛି । କେନ୍ଦ୍ର ସରକାରଙ୍କୁ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଉତ୍ତରାଖଣ୍ଡ ବନ୍ୟାରେ ୨୦ରୁ ଅଧିକ ପ୍ରାଣ ହରାଇଥିବା ସୂଚନା ମିଳିଛି ।