ଭାରତର ଏହି ଗାଁର ନାଁ ପାକିସ୍ତାନ ! ଲୋକେ ଏବେ ନିଜ ଗାଁ ନାଁ ବଦଳାଇବାକୁ ଚାହୁଁଛନ୍ତି , ରାଜି ହେଲା ପ୍ରଶାସନ

ପାଟନା : ପାକିସ୍ତାନ ନାଁ ଶୁଣିଲେ ଆମେ ଭାରତୀୟମାନଙ୍କ ମନରେ ହଠାତ ରାଗ ଓ ଘୃଣାଭାବ ଦେଖାଦିଏ । ପୁଣି ଆଜିକାଲି ପାକିସ୍ତାନ ଓ ଭାରତ ମଧ୍ୟରେ ସଂପର୍କ ଆହୁରି ଖରାପ ହୋଇଯାଇଥିବାରୁ ପାକିସ୍ତାନୀଙ୍କ ପ୍ରତି ଭାରତୀୟଙ୍କ ଘୃଣାଭାବ ଓ ଶତ୍ରୁତାଭାବ ବଢିଯାଇଛି । କିନ୍ତୁ ପାକିସ୍ତାନ ପ୍ରତି ଭାରତୀୟଙ୍କ ଏହି ଘୃଣାଭାବର ଅଯଥା ଶିକାର ହେଉଛନ୍ତି ବିହାରରେ ଥିବା ଏକ ଗାଁର ଲୋକେ । ବିହାରର ପୂର୍ନିଆ ଜିଲ୍ଲାରେ ଥିବା ଏହି ଗାଁର ନାଁ ହେଉଛି ‘ପାକିସ୍ତାନ’ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏବେ ଏହି ଭାରତୀୟ ପାକିସ୍ତାନର ଲୋକମାନେ ନିଜ ଗାଁର ନାଁ ବଦଳାଇବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି । ଗାଁ ଲୋକଙ୍କ କହିବା କଥା ହେଲା ତାଙ୍କ ଗାଁ ନାଁ ପାକିସ୍ତାନ ହୋଇଥିବାରୁ ଅନ୍ୟ ଗାଁ ଲୋକେ ତାଙ୍କୁ ଘୃଣା କରୁଛନ୍ତି, ଟାହିଟପରା କରୁଛନ୍ତି, ଏପରିକି ଏହି ଗାଁରେ ବିବାହ କରିବାକୁ କେହି ରାଜି ହେଉନାହାନ୍ତି । ଏହି କାରଣରୁ ନାଁ ବଦଳାଇବା ପାଇଁ ଗାଁ ଲୋକେ ଦାବି କରୁଛନ୍ତି ।

ଗାଁ ରେ ଅଧିକାଂଶ ଆଦିବାସୀ ଲୋକ ରହୁଥିବା ଏହାର ନାଁ ବିରସା ନଗର ରଖିବାକୁ ଦାବି କରାଯାଉଛି । ଲୋକଙ୍କ ଦାବିକୁ ମଧ୍ୟ ସମର୍ଥନ କରିଛନ୍ତି ସ୍ଥାନୀୟ ସାଂସଦ ସଂନ୍ତୋଷ ଖୁସଓ୍ଵାହା । ମିଳିଥିବା ଖବର ଅନୁସାରେ ନାଁ ବଦଳାଇବାକୁ ପ୍ରଶାସନ ରାଜି ହୋଇଛି ।

କିପରି ହେଲା ଏହି ଗାଁ ନାଁ ପାକିସ୍ତାନ ?
ଦେଶବିଭାଜନ ସମୟରେ ଏହି ଗାଁରେ ରହୁଥିବା ମୁସଲିମ ଲୋକମାନେ ନିଜର ଘର,ଜମି ଆଦି ଅସ୍ଥାବର ସଂପତ୍ତି ସ୍ଥାନୀୟ ଲୋକଙ୍କୁ ଦାନ କରି ପାକିସ୍ତାନ ପଳେଇଯାଇଥିଲେ । ସେମାନଙ୍କ ଏହି ବଦାନ୍ୟତା ପାଇଁ ଏହି ଗାଁର ନାଁ ପାକିସ୍ତାନ ରଖାଯାଇଥିଲା । ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ଏହି ଗାଁରେ ଜଣେ ମଧ୍ୟ ମୁସଲିମ ନାହାନ୍ତି ।

ସମ୍ବନ୍ଧିତ ଖବର