ନୂଆଦିଲ୍ଲୀ: ହୁନର୍ ହାଟ ମେଳା ପରିଦର୍ଶନ ଦ୍ୱାରା ଭାରତ ସମ୍ବନ୍ଧରେ ଧାରଣା ବ୍ୟାପକ ହୁଏ ବୋଲି ଆଜି ‘ମନ୍ କି ବାତ୍’ର ୬୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ନିକଟରେ ଇଣ୍ଡିଆ ଗେଟ୍ ଠାରେ ଆୟୋଜିତ ହୁନର ହାଟର ହସ୍ତଶିଳ୍ପ ମେଳା ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଯାଇଥିଲେ। ଏହି ମେଳାରେ ଯୋଗ ଦେଇ ଜଣେ ଦିବ୍ୟାଙ୍ଗ କାରିଗର ମହିଳାଙ୍କ ଜୀବନଧାରା ବଦଳି ଯାଇଥିବା କଥା ସେ କହିଛନ୍ତି। ପୂର୍ବରୁ ସେ ମହିଳା ଫୁଟ୍ପାଥ୍ରେ ଚିତ୍ର ବିକୁଥିଲେ। ହୁନ୍ର ହାଟରେ ଯୋଗଦେଇ ୩ ଲକ୍ଷ କାରିଗର ରୋଜଗାର ସୁଯୋଗ ପାଇଛନ୍ତି।
/sambad/media/post_attachments/wp-content/uploads/2020/02/pm-3-300x169.jpg)
ମେଘାଳୟରୁ ଆବିଷ୍କୃତ ହୋଇଥିବା ନୂଆ ପ୍ରଜାତିର ମାଛ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆଲୁଅ ପଡୁ ନ ଥିବା ଭୂତଳ ଗହ୍ଵରରେ ଏହି ବିରାଟକାୟ ମାଛମାନେ ବାସ କରନ୍ତି। ଏଭଳି ସ୍ଥାନରେ ଏହି ମାଛ କି ଭଳି ଜୀବନଧାରଣ କରିଛି, ସେ କଥା ଜୀବବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପରବର୍ତ୍ତୀ ତିନି ବର୍ଷ ପାଇଁ ଭାରତ ‘ସିଓପି କନ୍ଭେନ୍ସନ୍’ର ଅଧ୍ୟକ୍ଷତା କରିବ ବୋଲି ପ୍ରଧାମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଦେଶାନ୍ତରଗାମୀ ପକ୍ଷୀ ପ୍ରଜାତି ଉପରେ ଗବେଷଣା ହୁଏ। ଭାରତକୁ ପ୍ରାୟ ୫୦୦ କିସମର ଦେଶାନ୍ତରଗାମୀ ପକ୍ଷୀ ଆସନ୍ତି। ନିକଟରେ ଗାନ୍ଧୀନଗର ଠାରେ ଆୟୋଜିତ ‘ସିଓପି୧୩’ ସମ୍ମିଳନୀରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ କହିଲେ ଯେ ଚନ୍ଦ୍ରଯାନ-୨ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସେ ବେଙ୍ଗାଲୁରୁ ପିଲାମାନଙ୍କର ଅତୁଳନୀୟ ଉତ୍ସାହ ଦେଖିଥିଲେ। ଏବେ ସାଧାରଣ ଲୋକେ ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ ଦେଖିପାରିବେ। ବୈଜ୍ଞାନିକ ମନୋଭାବ ବଢ଼ାଇବା ଲାଗି ପିଲାମାନଙ୍କୁ ଶ୍ରୀହରିକୋଟା ନେବା ପାଇଁ ମୁଁ ସ୍କୁଲ୍ମାନଙ୍କୁ କହୁଛି। ଜୈବ ଇନ୍ଧନ ଗବେଷଣା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଦୁଇଟିଯାକ ଇଞ୍ଜିନ୍ରେ ୧୦% ଜୈବ ଇନ୍ଧନ ଭରି ଲେହ୍ରୁ ସାମରିକ ବିମାନ ଏଏନ୍-୩୨ ଉଡ଼ାଣ ଆରମ୍ଭ କରି ଇତିହାସ ସୃଷ୍ଟି କରିଛି।
ବିହାର ଅନ୍ତର୍ଗତ ପୁରୁନିଆର ମହିଳା ଟସରଚାଷୀଙ୍କ ନୂତନ ପ୍ରୟାସ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଜିର ‘ମନ୍ କି ବାତ୍’ରେ ଉଲ୍ଲେଖ କରିଛନ୍ତି। ସେ କହିଲେ ପୁରୁନିଆର ମହିଳାମାନେ କେବଳ ସିଲ୍କ୍ ବିକନ୍ତି ନାହିଁ, ସେମାନେ ସିଲ୍କ୍ ଶାଢ଼ି ମଧ୍ୟ ବୁଣନ୍ତି। ଫଳରେ ତାଙ୍କର ଆର୍ଥିକ ଅବସ୍ଥା ସୁଧୁରିଛି।
/sambad/media/post_attachments/wp-content/uploads/2020/02/pmm-1-300x178.jpg)
ମୋରାଦାବାଦର ଆଜନ୍ମ ଦିବ୍ୟାଙ୍ଗ ସଲମନ୍ ଚପଲ ଓ ଡିଟର୍ଜେଣ୍ଟ୍ କାରଖାନାଟିଏ ଖୋଲି ସେଥିରେ ଅନେକ ଦିବ୍ୟାଙ୍ଗଙ୍କୁ କର୍ମ ସଂସ୍ଥାନ ଯୋଗାଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେମାନଙ୍କ ସାହସ ଓ ଔଦ୍ୟୋଗିକତାକୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି।
ଦକ୍ଷିଣ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏବଂ ଅନ୍ୟାନ୍ୟ ଉଚ୍ଚ ଶୃଙ୍ଗ ଆରୋହଣକାରିଣୀ ୧୨ ବର୍ଷୀୟ ବାଳିକା କାମ୍ୟା କାର୍ତ୍ତିକେୟନ୍ଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। କେରଳ ଅନ୍ତର୍ଗତ କୋଲ୍ଲାମ୍ର ୧୦୫ ବର୍ଷୀୟ ଭାଗୀରଥି ଆମ୍ମାଙ୍କ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ୧୦୫ ବର୍ଷ ବୟସରେ ଭାଗୀରଥି ଆମ୍ମା ପୁଣି ସ୍କୁଲ୍କୁ ଯାଇ ପରୀକ୍ଷାରେ ଭଲ କରିଛନ୍ତି। ଏଭଳି ଲୋକେ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଜୀବନରେ ପ୍ରଗତି କରିବାକୁ ହେଲେ ଆମ ଭିତରେ ଥିବା ଛାତ୍ର ସ୍ୱଭାବକୁ ପରିହାର କରିବା ଅନୁଚିତ।
ଦେଶର ପର୍ବପର୍ବାଣି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଲେ ପ୍ରତ୍ୟେକ ପର୍ବରେ ଏକ ସାମାଜିକ ବାର୍ତ୍ତା ଥାଏ ଯାହା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ।
ଏଥିସହ ଆସନ୍ତା ମାସରେ ବୋର୍ଡ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।