ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଚନ୍ଦ୍ର ମିସନ ଘୋଷଣା କରାଯାଇଛି। ୫୦ ବର୍ଷର ବ୍ୟବଧାନ ପରେ ମହାକାଶଚାରୀମାନେ ଚନ୍ଦ୍ରକୁ ଯିବେ।
ସେମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ କୃଷ୍ଣକାୟ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯିବେ। ୨୦୨୪ ଶେଷଆଡ଼କୁ କିମ୍ବା ୨୦୨୫ ଆରମ୍ଭରେ ‌ଏହି ମିସନ ଆରମ୍ଭ ହେବ। ଚନ୍ଦ୍ରକୁ ଯିବାକୁ ଥିବା ମହିଳା ମହାକାଶଚାରୀ ଜଣକ ହେଉଛନ୍ତି ଖ୍ରୀଷ୍ଟ୍ରିଆନ କୋଚ୍‌ (୪୪)। ପେସାରେ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିଅର। ସେହିଭଳି ଚନ୍ଦ୍ର ମିସନରେ ଯିବାକୁ ଥିବା ପ୍ରଥମ କୃଷ୍ଣକାୟ ମହାକାଶଚାରୀ ହେଉଛନ୍ତି ଭିକ୍ଟର ଗ୍ଲୋଭର। ୪୬ ବର୍ଷୀୟ ଗ୍ଲୋଭର ଆମେରିକା ନାଭିର ଟେଷ୍ଟ ପାଇଲଟ। ଏମାନଙ୍କ ଛଡ଼ା ଚନ୍ଦ୍ର ମିସନରେ ଯିବାକୁ ଥିବା ଅନ୍ୟ ଦୁଇଜଣ ମହାକାଶଚାରୀ ହେଉଛନ୍ତି ରିଡ୍ ୱାଇଜମ୍ୟାନ(୪୭) ଏବଂ ଜେରେମି ହାସନ(୪୭)। ଚନ୍ଦ୍ର ନିକଟରେ ସେମାନଙ୍କ ମହାକାଶଯାନ ଯାତ୍ରା କରିବ। ମହାକାଶଚାରୀମାନେ ଚନ୍ଦ୍ରରେ ଅବତରଣ କରିବେ ନାହିଁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କ୍ରୁ’ମାନଙ୍କୁ ଚନ୍ଦ୍ରରେ ପାଦ ରଖିବା‌ରେ ଏହା ସହାୟକ ବୋଲି କୁହାଯାଇଛି। ପୂର୍ବରୁ ନାସାର ଚନ୍ଦ୍ର ମିସନରେ କେବଳ ଶ୍ବେତାଙ୍ଗମାନେ ଯାତ୍ରା କରିଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଜଣେ ମହିଳା ଏବଂ ଜଣେ ଅଣଶ୍ବେତାଙ୍ଗଙ୍କୁ ଚୟନ କରାଯାଇଛି। ୪ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଆମେରିକାର ଏବଂ ଜଣେ କାନାଡ଼ାର ନାଗରିକ। ସେମାନଙ୍କୁ ଏହି ମିସନ ପାଇଁ ବ୍ୟାପକ ତାଲିମ ଦିଆଯିବ।

Advertisment

ୱାଇଜମ୍ୟାନ ଉକ୍ତ ମିସନର କମାଣ୍ଡର ଏବଂ ଗ୍ଲୋଭର ପାଇଲଟ ରହିବେ। କୋଚ୍ ଏବଂ ହାସେନ ସହାୟକ ମିସନ ବିଶେଷଜ୍ଞଭାବେ କାର୍ଯ୍ୟ କରିବେ। ପୃଥିବୀରୁ ଚନ୍ଦ୍ରକୁ ଯିବା ଏବଂ ସେଠାରୁ ଫେରିବା ଲାଗି ମହାକାଶଚାରୀମାନଙ୍କୁ ପ୍ରାୟ ୧୦ ଦିନ ସମୟ ଲାଗିବ। ଉଲ୍ଲେଖଯୋଗ୍ୟ, ୧୯୬୯ରେ ପ୍ରଥମେ ଆପୋଲୋ ୧୧ରେ ମହାକାଶଚାରୀ ଚନ୍ଦ୍ରରେ ପାଦ ରଖିଥିଲେ। ଶେଷଥର ପାଇଁ ୧୯୭୨ ଡିସେମ୍ବର ୭୨ରେ ମହାକାଶଚାରୀଙ୍କୁ ନେଇ ମହକାଶ ଯାନ ଚନ୍ଦ୍ରକୁ ଯାଇଥିଲା।