ହାଇଦ୍ରାବାଦ:  ଚଳଚ୍ଚିତ୍ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭି‌ନୀତ ‘ପୁଷ୍ପା-୨’ ରିଲିଜ୍‌ ହୋଇଛି। ହାଇଦ୍ରାବାଦରେ ଏକ ସିନେମା ହଲରେ ରିଲିଜ୍‌ ସମୟରେ ଗତକାଲି  ଅଭିନେତା ଅଲ୍ଲୁ ଅର୍ଜୁନ୍‌ ଉପସ୍ଥିତ ଥିଲେ। ଅଭିନେତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଗତରାତି ସାଢ଼େ ୧୦ଟାରେ ଅଲ୍ଲୁ ଅର୍ଜୁନ ହଲ୍‌ରେ ପହଞ୍ଚିଥିଲେ। ପ୍ରବଳ ଭିଡ଼ ଯୋଗୁଁ ଦଳଚକଟାରେ ଦିଲସୁଖନଗର ବାସିନ୍ଦା ରେବତୀ (୩୫)ଙ୍କ ମୃତ୍ୟୁ ଘଟିଛି ଏବଂ  ତାଙ୍କର ୧୩ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Advertisment

ଏନେଇ ହାଇଦ୍ରାବାଦ୍‌ ଡିସିପି କହିଛନ୍ତି, ଅଲ୍ଲୁ ଅର୍ଜୁନ ଆସିବା ନେଇ ଥିଏଟର କର୍ତ୍ତୃପକ୍ଷ ‌ପୂର୍ବରୁ କୌଣସି ସୂଚନା ଦେଇନଥିଲେ। ଭିଡ଼ ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ହୋଇନଥିଲା। ଅଭିନେତାଙ୍କ ଆସିବା ଓ ଯିବା ପାଇଁ ଅଲଗା ରାସ୍ତା ବ୍ୟବସ୍ଥା ହୋଇନଥିଲା। ଅଲ୍ଲୁଙ୍କ ସୁରକ୍ଷାକର୍ମୀ ଲୋକଙ୍କୁ ବଳପୂର୍ବକ ଠେଲି ବାହାର କରିବାକୁ ପ୍ରୟାସ କରିଥିଲେ।  ଯାହାଫଳରେ ଠେଲାପେଲା ସାଂଘାତିକ ରୂପ ନେଇଥିଲା।   ଏହି ଘଟଣାରେ ଅଲ୍ଲୁ ଅର୍ଜୁନ୍‌ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।