ନୂଆଦିଲ୍ଲୀ : ଛତିଶଗଡ଼ର ବସ୍ତର ଜିଲ୍ଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ପୂର୍ବତନ ପ୍ରେମିକଙ୍କ ଉପରେ ଏସିଡ୍ ମାଡ଼ କରିଛନ୍ତି। ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇଥିବା ତାଙ୍କ ପୂର୍ବତନ ପ୍ରେମିକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା କଥା ମହିଳା ଜଣଙ୍କ ଆଦୌ ସହି ପାରିନଥିଲେ। ଫଳରେ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ବିବାହ ଉତ୍ସବ ଦିନ ହିଁ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲେ। ଉକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି।
ବସ୍ତର ଅତିରିକ୍ତ ପୁଲିସ ସୁପରିନଟେଣ୍ଡେଣ୍ଟ୍ ନିବେଦିତା ପାଲ୍ କହିଛନ୍ତି, ଭାଣପୁରୀ ଥାନା ଅଧୀନସ୍ଥ ଛୋଟେ ଅମାବଲ୍ ଗ୍ରାମରେ ୨୫ ବର୍ଷୀୟ ଡମରୁଧର ବାଘେଲ (୨୫) ଜଣେ ୧୯ ବର୍ଷୀୟା ମହିଳାଙ୍କୁ ବିବାହ କରୁଥିଲେ। ଏହି ସମୟରେ ବର କନ୍ୟା ଏବଂ ଉପସ୍ଥିତ ଅତିଥି ଉପରେ ଏସିଡ୍ ମାଡ଼ ହୋଇଥିଲା। ଉକ୍ତ ଘଟଣାରେ ବର କନ୍ୟା ଏବଂ ୧୦ ଜଣ ଅତିଥିଙ୍କ ଶରୀର ସାମାନ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଘଟଣାରେ ଆଇପିସି ଧାରା ୩୨୬ଏ ଅଧୀନରେ ମାମଲା ରୁଜୁ କରିଛି। ଏପ୍ରିଲ ୧୯ ତାରିଖରେ ଏହି ଘଟଣା ଘଟିଥିଲା। ପୁଲିସ କହିଛି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବାରୁ ଏବଂ ଏହି ସମୟରେ କରେଣ୍ଟ୍ ଚାଲିଯାଇଥିବାରୁ ଲୋକମାନେ ଅଭିଯୁକ୍ତକୁ ଦେଖିନଥିଲେ।