ନୂଆଦିଲ୍ଲୀ: ହାଇଦ୍ରାବାଦର ମହିଳା ସୟଦା ଜୈଦି ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିବା ବେଳେ ଗତ ସପ୍ତାହରେ ସେ ସିକାଗୋ ରାସ୍ତାକଡ଼ରେ ଭୋକଉପାସରେ ପଡ଼ିଥିବା ଏକ ଭିଡ଼ିଓରୁ ଜାଣିବାକୁ ମିଳିଥିଲା। ଜୈଦିଙ୍କ ମାଆ ଝିଅକୁ ଦେଶକୁ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରଣାଳୟର ସାହାଯ୍ୟ ଲୋଡ଼ିଥିଲେ। ଏହାପରେ ସିକାଗୋଠାରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ସେମାନେ ଜୈଦିଙ୍କ ସହ ଯୋଗାଯୋଗ କରି ତାଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବା ସହ ଭାରତ ଫେରାଇ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଜୈଦି ଏବେ ସୁସ୍ଥ ଅଛନ୍ତି ଏବଂ ଭାରତରେ ଥିବା ନିଜ ମାଆଙ୍କ ସହ କଥା ହୋଇଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ତେବେ ଭାରତ ଫେରାଇ ଆଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ଜୈଦି ଏପର୍ଯ୍ୟନ୍ତ ହଁ କି ନା କିଛି କହିନାହାନ୍ତି। ଆମେ ତାଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

୩୭ ବର୍ଷୀୟା ଜୈଦି ୨୦୨୧ ଅଗଷ୍ଟ ମାସରେ ମାଷ୍ଟର ଡିଗ୍ରି କରିବା ପାଇଁ ଆମେରିକା ଯାଇଥିଲେ। ସେ ଡେଟ୍ରଏଟ୍‌ସ୍ଥିତ ଟ୍ରାଇନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। କିନ୍ତୁ ଦୁଇ ମାସ ତଳେ ତାଙ୍କ ସହ ଆଉ କୌଣସି ଯୋଗଯୋଗ ରଖିବା ତାଙ୍କ ପରିବାର ପକ୍ଷେ ସମ୍ଭବ ହୋଇ ନ ଥିଲା। ପରେ ଗତ ସପ୍ତାହରେ ଏକ ଭିଡ଼ିଓରୁ ଜଣାପଡ଼ିଲା ଯେ ଜୈଦିଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଭୋକଉପାସରେ ସେ ଏକ ରାସ୍ତାକଡ଼ରେ ପଡ଼ିଛନ୍ତି। ଭିସା ଓ ସାର୍ଟିଫିକେଟ୍ ସମେତ ସବୁ ଜିନିଷ ଚୋରି ହୋଇଯିବା ପରେ ମାନସିକ ଭାରସାମ୍ୟ ହରାଇ ଅବସାଦରେ ଭାଙ୍ଗିପଡ଼ିଥିଲେ ଜୈଦି। ତେଣୁ ତାଙ୍କର ଏପରି ପାଗଳପ୍ରାୟ ଅବସ୍ଥା ହୋଇଥିଲା। ଏହାପରେ ଜୈଦିଙ୍କ ମାଆ ସାହାଯ୍ୟ ପାଇଁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିବେଦନ କରି ଚିଠି ଲେଖିଥିଲେ।