ପଂଜାବରେ ଯୁବ ଅକାଳୀ ଦଳ ନେତାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼ : ପଂଜାବର ମୋହାଲି ଜିଲ୍ଲାରେ ଯୁବ ଅକାଳୀ ଦଳ ନେତା ବିକ୍ରମଜିତ ସିଂହ ମିଦ୍ଦୁଖେରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା ଘଟଣା କ୍ୟାମେରାରେ ରେକର୍ଡ ହୋଇଛି। ହତ୍ୟାକାରୀମାନେ ୨୦ ରାଉଣ୍ଡ୍‌ ଗୁଳି ଚାଳନା କରିଥିବା ଜଣାପଡ଼ିଛି। ଘଟଣାଟି ସେକ୍ଟର ୭୧ ସ୍ଥିତ ମତଉର ମାର୍କେଟ୍‌ରେ ଘଟିଛି। ବିକ୍ରମଜିତ ଏକ ରିଅଲ୍‌ ଇଷ୍ଟେଟ୍‌ ଅଫିସକୁ ଯାଇଥିବା ସମୟ‌ରେ ଏହି ଘଟଣା ଘଟିଥିଲା। ସେ ପାର୍କିଂରେ ଥିବା ତାଙ୍କ ଗାଡ଼ିରେ ବସିଥିବା ସମୟ‌ରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଅଜଣା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ ଆରମ୍ଭ କରିଦେଇଥିଲେ। ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଦେହରେ ୨୦ ରାଉଣ୍ଡ୍‌ ଗୁଳି ବାଜିଥିବା ଜଣାପଡ଼ିଛି। ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଏକ କାର୍‌ରେ ଖସି ପଳାଇଥିଲେ। ବିକ୍ରମଜିତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା ହୋଇଥିବା ପୁଲିସ କହିଛି। ମିଦ୍ଦୁଖେରା ପଂଜାବ ବିଶ୍ବ ବିଦ୍ୟାଳୟରେ ସକ୍ରିୟ ଛାତ୍ରନେତା ଥିଲେ। ବରିଷ୍ଠ ଅକାଳୀ ଦଳ ନେତା ଏବଂ ଦଳର ମୁଖପାତ୍ର ଦଲଜିତ ସିଂହ ‌ଚେମା କହିଛନ୍ତି, ଏହା ପ୍ରମାଣ କରୁଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ସମ୍ବନ୍ଧିତ ଖବର