ଇନ୍ଦୋର: ମଧ୍ୟପ୍ରଦେଶର ଜଣେ ୩୪ ବର୍ଷୀୟ ପରିବା ବ୍ୟବସାୟୀ ପୁନେର ଜଣେ ଅସୁସ୍ଥ ସୈନିକଙ୍କୁ ହୃତପିଣ୍ଡ ଦାନ କରିଛନ୍ତି। ଉଜ୍ଜୟିନୀ ବାସିନ୍ଦା ପ୍ରଦୀପ ଗତ ୨୦ ତାରିଖରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିବାର ସଦସ୍ୟ ତାଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଖବର ପାଇବାପରେ ହୃତ୍ପିଣ୍ଡ ପ୍ରତିରୋପଣ ଅପେକ୍ଷାରେ ଥିବା ଜଣେ ସୈନିକଙ୍କୁ ପ୍ରଦୀପ ଅଶ୍ବିନୀଙ୍କ ହୃତ୍ପିଣ୍ଡ ଦେବାପାଇଁ ସେନା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ସେନାର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରଦୀପ ଅଶ୍ବିନୀଙ୍କ ଶରୀରରୁ ହୃତ୍ପିଣ୍ଡ କାଢ଼ି ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହାକୁ ଆଜି ପୁନେ ନେଇଛନ୍ତି। ଅସୁସ୍ଥ ସୈନିକଙ୍କ ଶରୀରରେ ଏହି ହୃତ୍ପିଣ୍ଡ ପ୍ରତିରୋପଣ କରାଯିବ। ଖାଲି ଏତିକି ନୁହେଁ ପ୍ରଦୀପ ଅଶ୍ବିନୀଙ୍କ କିଡ଼ନି, ଲିଭର ଏବଂ ଆଖି ସ୍ଥାନୀୟ ହସ୍ପିଟାଲରେ ଅଭାବୀ ପିଲାଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଜଣେ ଅସୁସ୍ଥ ସୈନିକଙ୍କ ଠାରେ ପ୍ରଦୀପଙ୍କ ହୃତ୍ପିଣ୍ଡ ପ୍ରତିରୋପଣ କରାଯାଉଥିବାରୁ ତାଙ୍କ ବଡ଼ ଭଉଣୀ ନୀଲମ ଖୁସଲାନି ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ। ସୈନିକଙ୍କଠାରେ ହୃତ୍ପିଣ୍ଡ ପ୍ରତିରୋପଣ ପରେ ତାଙ୍କ ଦିବଂଗତ ଭାଇ ଜଣେ ସୈନିକ ରୂପେ ବଞ୍ଚି ଦେଶର ସେବା କରିବେ ବୋଲି ନୀଲମ କହିଛନ୍ତି।