ମଣିଷପଣିଆର ନିଆରା ଉଦାହରଣ: ଜୀବନକୁ ବାଜି ଲଗାଇ କାନ୍ଧରେ ବୋହି ବନ୍ୟାଜଳରୁ ବାଛୁରୀକୁ ଉଦ୍ଧାର କଲେ ଯୁବକ

ତରୁବନନ୍ତପୁରମ୍/ ଭଦ୍ରକ:  ଦେଶର ୯ଟି ରାଜ୍ୟରେ ଏବେ ବନ୍ୟାର ପ୍ରକୋପ ଗ୍ରାସ କରିଛି । ଜଳପ୍ରଳୟର ଶିକାର ହୋଇଛନ୍ତି  ଲକ୍ଷ ଲକ୍ଷ ଲୋକଙ୍କ ସହ ବହୁ ସଂଖ୍ୟାରେ ଗୃହପାଳିତ ପଶୁ । କେରଳରେ ବନ୍ୟାସ୍ଥିତି ସଂଗୀନ ହୋଇଛି । ନିଜ ନିଜର ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ବନ୍ୟା ଘେରରେ ଥିବା ଲୋକ ।

ଏବେ  କେରଳରୁ ଆସିଛି ଏକ ନିଆରା ଚିତ୍ର । ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ଗୋଟିଏ ବାଛୁରୀକୁ କାନ୍ଧରେ ବୋହି ତାକୁ ବନ୍ୟା ଜଳରୁ ଉଦ୍ଧାର କରୁଛନ୍ତି । ତେବେ ବିପଦ ସମୟରେ ଅସହାୟ  ପ୍ରାଣୀ ଲାଗି ବନ୍ଧୁ ସାଜିଥିବା ଯୁବକଙ୍କ ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି । ଗୋଟିଏ ନିରୀହ ପ୍ରାଣୀର ଜୀବନକୁ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଏହି ଯୁବକ । ଏହି ଚିତ୍ରକୁ ସେୟାର କରି ପ୍ରଶଂସା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ।

ଅନ୍ୟପଟେ,  କେରଳରୁ କର୍ଣ୍ଣାଟକ, ଗୁଜରାଟରୁ ମହାରାଷ୍ଟ୍ର ସବୁଠି ପ୍ରକୃତି ରଚିଛି ତାଣ୍ଡବ । ମୁଷଳଧାରା ବର୍ଷା କାରଣରୁ ଦକ୍ଷିଣ ଭାରତର କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ସ୍ଥିତି ସଂଗୀନ ହୋଇଛି । ସେହିପରି ପଶ୍ଚିମ ଭାରତର ମହାରାଷ୍ଟ୍ର ଓ ଗୁଜୁରାଟରେ ହାହାକାର ସୃଷ୍ଟି ହୋଇଛି । ଚଳିତ ଥର ପ୍ରଭାବିତ ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା ପ୍ରାୟ ୨ଶହ ଟପିଲାଣି । କେରଳରେ ସର୍ବାଧିକ ୭୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ଲୋକ ନିଖୋଜ ରହିଛନ୍ତି । ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେରଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଏନାଡ ଓ କୋଝିକୋଡ ।

ସମ୍ବନ୍ଧିତ ଖବର