ପାଟ୍‌ନା: ବିହାରର ପାଟ୍‌ନାରେ ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ସ୍ବପ୍ନ ଦେଖାଇବା ପରେ ଏବେ ପଛଘୁଞ୍ଚା ଦେଇଥିବା ଅଭିଯୋଗ ହୋଇଛି। ମୁଜାଫରନଗରର ଏକ ଅକ୍ରେଷ୍ଟ୍ରାରେ ସାଙ୍ଗ ହୋଇ କାମ କରିବା ବେଳେ କିନ୍ନର ଚନ୍ଦାଙ୍କ ସହ ମୋତିପୁରର ପଙ୍କଜ ମନ୍ଦିରର‌େ ବିବାହ କରିଥିଲେ। ଦୁହେଁ ୫ ବର୍ଷ ହେଲା ସାଥୀ ହୋଇ ରହୁଥିଲେ। ହେଲେ ଏବେ ପଙ୍କଜ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ଏ ସଂପର୍କରେ ଖବର ମିଳିବା ମାତ୍ରେ କିନ୍ନର ଜଣକ ମୋତିପୁର ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ କରିବାରେ ଲାଗିଛି।

Advertisment

ସୂଚନାରୁ ପ୍ରକ‌ାଶ ଯେ ମୁଜାଫର୍‌ନଗରର ସିଦ୍ଧିକ ଲେନ୍‌ରେ ରହୁଥିବା ଚନ୍ଦା ମୋତିପୁର ଥାନା ଅଞ୍ଚଳର ନିବାସୀ ପଙ୍କଜ ସାହା ଏକସାଥିରେ ଏକ ଅକ୍ରେଷ୍ଟାରେ କାମ କରୁଥିଲେ। ସେଠାରେ ସେମାନଙ୍କ ପରିଚୟ ହେବା ପରେ କିଛି ଦିନ ପରେ ଦୁହିଁଙ୍କୁ ଦୁହିଁଙ୍କ ସହ ପ୍ରେମ ହୋଇଗଲା। ପୁଣି ଗୋଟାଏ ଦିନ ସେମାନେ ମନ୍ଦିରେ ଯାଇ ବିବାହ ବି କଲେ।

ବିବାହର ୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଦୁହେଁ ପତି-ପତ୍ନୀଙ୍କ ପରି ରହୁଥିଲେ। ହେଲେ ଏବେ ପଙ୍କଜ ଚନ୍ଦାଙ୍କୁ ଛାଡ଼ି ଦ୍ବିତୀୟ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ବିବାହକୁ ରୋକିବା ପାଇଁ ଚନ୍ଦା ସେମାନଙ୍କ ବିବାହ ଫଟୋ ସହ ଥାନାରେ ଅଭିଯୋଗ ଆଣିଛନ୍ତି।

ଚନ୍ଦା ନିଜର ମାଆ ଓ ୨ ଭଉଣୀଙ୍କୁ ପୋଷିବାକୁ ଅକ୍ରେଷ୍ଟ୍ରାରେ ନାଚୁଥିଲେ। ପଙ୍କଜକୁ ବିବାହ କରିବା ପରେ ନିଜ ରୋଜଗାରରୁ ସେ ପଙ୍କଜଙ୍କ ପାଇଁ ଘର ତିଆରି କରିଥିବା ବି ଅଭିଯୋଗରେ କହିଛନ୍ତି।