ଓ୍ଵାସିଂଟନ୍: ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ତାଲିକାଭୁକ୍ତ କରିଥିବା ଭାରତ ସରକାରଙ୍କର ଆଧାର କାର୍ଡ ଯୋଜନା ହିତାଧିକାରୀଙ୍କ ତାଲିକାରୁ ଚଞ୍ଚକମାନଙ୍କୁ ନିଷ୍କାସିତ କରି ଦେଶର ଖଜଣାଗାରରେ ପ୍ରାୟ ୯ ଶହ କୋଟି ଡଲାର୍ ସଞ୍ଚୟ କରିବାରେ ସହାୟତା କରିଛି ବୋଲି ଏହାର ପ୍ରଚଳନକର୍ତ୍ତା ନନ୍ଦନ ନିଲେକନି କହିଛନ୍ତି।
ପୂର୍ବତନ ଉପା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପଦ୍ଧତିକୁ ଏବକାର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଅତି ଆଗ୍ରହର ସହକାରେ ସମର୍ଥନ କରିଛନ୍ତି ବୋଲି ୬୨ ବର୍ଷିୟ ଇମ୍ଫୋସିସ୍ ଇଣ୍ଡିଆର ଅଣକାର୍ଯ୍ୟନିର୍ବାହି ଚେୟାର୍ମ୍ୟାନ୍ ନିଲେକାନି କହିଛନ୍ତି।
ବାସ୍ତବରେ ଏହା ଦୁଇ ରାଜନୈତିକ ଦଳର ସହଯୋଗରେ ପ୍ରସ୍ତୁତ ପ୍ରଣାଳୀ ବୋଲି ଗତକାଲି ‘ଡିଜିଟାଲ୍ ଇକୋନମି ଫର୍ ଡେଭେଲପ୍ମେଣ୍ଟ୍ ଉପରେ ଆୟୋଜିତ ଆଲୋଚନାରେ ବିଶ୍ୱ ବ୍ୟାଙ୍କ୍ ପାନେଲ୍ରେ ଯୋଗ ଦେଇ ସେ କହିଛନ୍ତି।

ସେ କହିଛନ୍ତ: ଉପଯୁକ୍ତ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ କରି ଅଗ୍ରଗତି କରିବା ବିକାଶଶାଳୀ ରାଷ୍ଟ୍ରମାନଙ୍କ ପକ୍ଷେ ସହଜ।
ଆଧାର ପ୍ରଣାଳୀରେ ଏବେ ଶହେ କୋଟିରୁ ଊର୍ଦ୍ଧ୍ୱ ଜନତା ପଞ୍ଜିକୃତ ହୋଇ ସାରିଛନ୍ତି ବୋଲି ସେ କହିଛନ୍ତି।
ଏହି ୟୁନିକ୍ ନମ୍ବର ଦ୍ୱାରା ଜଣେ ହିତାଧିକାରୀ ଏବଂ କର୍ମଚାରୀ ତାଲିକାରୁ ମିଥ୍ୟା ଏବଂ ନକଲିଙ୍କୁ ବହିଷ୍କୃତ କରି ପାରୁଥିବାରୁ ସରକାର ପ୍ରାୟ ୯ ଶହ କୋଟି ଡଲାର୍ ଠକାମି ଏବଂ ନଷ୍ଟ ହେବାରୁ ରକ୍ଷା କରି ପାରିଛନ୍ତି ବୋଲି ଇଣ୍ଟର୍ ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍ ଏବଂ ବିଶ୍ୱ ବ୍ୟାଙ୍କ୍ର ବାର୍ଷିକ ସମ୍ମିଳନୀରେ ନିଲେକାନି କହିଛନ୍ତି।
ଆମର ୫୦ କୋଟି ଜନତା ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ସିଧା ସଳଖ ସେମାନଙ୍କର ପରିଚୟ ପତ୍ର ସଂଯୋଗ କରିଛନ୍ତି। ବୈଦ୍ୟୁତିକ ମାଧ୍ୟମରେ ସରକାର ବ୍ୟାଙ୍କ୍ ଆକାଉଣ୍ଟ୍ ସବୁକୁ ୧୨ ଶହ କୋଟି ଡଲାର୍ ପଠାଇଥିବା ଘଟଣା ହେଉଛି ସାମ୍ପ୍ରତିକ ବିଶ୍ୱରେ ସବୁଠୁ ବଡ଼ ନଗଦ ଅର୍ଥ ସ୍ଥାନାନ୍ତର ପ୍ରଣାଳୀ। ସେମିତି ଆହୁରି ଅନେକ କଥା ଅଛି।
ଡାଟା ଇକୋନମିର ନୂତନ ବିଶ୍ୱରେ, ପରିଚୟ ସତ୍ୟତା, ଅବାଧ ଦେୟ, କାଗଜହୀନ କାରବାର ଆଦି ସମସ୍ତ କାମ ନୂତନ ଡିଜିଟାଲ୍ ଅର୍ଥନୀତର ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥ। ଭାରତ ତାହା ହିଁ କରିଛି ବୋଲି ସେ କହିଛନ୍ତି।

ନାଟକୀୟ ଭାବେ ମୂଲ୍ୟ ହ୍ରାସ କରାଇ ପାରୁଥିବା ଏହି ଭିତ୍ତିଭୂମି ବ୍ୟବହାର କରି ଲୋକେ ଆପଣା ମୋବାଇଲ୍ ଫୋନ୍ରେ କ୍ୟାସ୍ଲେସ୍ ଟ୍ରାଞ୍ଜାକ୍ସନ୍ କରୁଥିବାରୁ ଭାରତ ହେଉଛି ବିଶ୍ୱରେ ଏକ ମାତ୍ର ଦେଶ ଯେଉଁଠି ବିନା କାଗଜପତ୍ରରେ କାରବାର କରି ହେବ।
ଡିଜିଟାଲ୍ ଅର୍ଥନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ ପ୍ରାୟ ୧୫/୨୦ଟି ଦେଶରୁ ଗତକାଲି ଉଚ୍ଚସ୍ତରୀୟ ପ୍ରତିନିଧିମାନେ ବିଶ୍ୱ ବ୍ୟାଙ୍କ୍ରେ ଏକତ୍ର ହୋଇଥିଲେ।
ସୁପ୍ରିମ୍ କୋର୍ଟ ଗୋପନୀୟତାକୁ ଏକ ମୌଳିକ ଅଧିକାର କହିବା କଥାରେ ନିଲେକାନି କହିଲେ ଯେ ଉଚ୍ଚତମ ନ୍ୟାୟାଳୟ ଏଥି ନିମନ୍ତେ ଏକ ଫ୍ରେମ୍ଓ୍ଵାର୍କ ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଜାତୀୟ ନିରାପତ୍ତା ବଜାୟ ରଖିବା, ଅପରାଧ ପ୍ରତିହତ କରିବା, ରାଜସ୍ୱ ସୁରକ୍ଷିତ ରଖିବା ଏବଂ ସାମାଜିକ ବିକାଶ ପାଇଁ ଏହା ଜରୁରୀ।