ନୂଆଦିଲ୍ଲୀ : ମୋବାଇଲ ଫୋନ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ମଧ୍ୟବର୍ତିକାଳୀନ ରହିତାଦେଶ ଜାରି କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ମାମଲାର ବିଚାର ଲାଗି ୫ ଜଣିଆ ସମ୍ବିଧାନ ବେଞ୍ଚ ଗଠନ କରାଯାଇଛି। ରହିତାଦେଶ ସଂପର୍କରେ ଉକ୍ତ ବେଞ୍ଚ ନିଷ୍ପତ୍ତି ନେବ। ଚଳିତ ମାସ ଶେଷ ଆଡ଼କୁ ଏହି ବେଞ୍ଚ ମାମଲାର ଶୁଣାଣି ଆରମ୍ଭ କରିବ। ତେବେ ବ୍ୟାଙ୍କ ଓ ମୋବାଇଲ କଂପାନୀମାନେ ଆଧାର ନାମରେ ମେସେଜ୍ ପଠାଇ ଗ୍ରାହକମାନଙ୍କୁ ଭୟଭୀତ ନକରାଇବା ଲାଗି ନିର୍ଦେଶ ଦେଇଛନ୍ତି।
ବିଚାରପତି ଏ. କେ. ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଆଜି ଶୁାଣାଣି କରିଥିଲେ। ଆଧାର ସହିତ ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନଯୋଡ଼ିଲେ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ଅଚଳ କରି ଦିଆଯିବ ବୋଲି କମ୍ପାନି ଓ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ମେସେଜ୍ ଏବଂ ଇ-ମେଲ୍ ପଠାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏପରି ମେସେଜ୍ ଗ୍ରାହକଙ୍କ ନିକଟକୁ ପଠାଯାଉନାହିଁ ବୋଲି କେନ୍ଦ୍ର ସରକାର କହିବାରୁ ବିଚାରପତି ଏ. କେ. ସିକ୍ରି କହିଥିଲେ, ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ମୁଁ ଏ ବିଷୟରେ ମୁହଁ ଖୋଲିବାକୁ ଚାହୁନାହିଁ। କିନ୍ତୁ ମୁଁ ମଧ୍ୟ ଏହିସବୁ ମେସେଜ୍ ପାଉଛି ବୋଲି ସେ କହିଥିଲେ। ଲୋକଙ୍କୁ ଏଭଳି ଭୟଭୀତ ନକରିବା ପାଇଁ ଅଦାଲତ କହିଛନ୍ତି।
ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ଲାଗି ମୋବାଇଲରେ ଟେକ୍ସଟ ମେସେଜ୍ ପଠାଇବା ସମୟରେ ସେଥିପାଇଁ ଧାର୍ଯ୍ୟ ହୋଇଥିବା ଶେଷ ତାରିଖ ମଧ୍ୟ ଉଲ୍ଲେଖ କରନ୍ତୁ। ଏ ନେଇ କେନ୍ଦ୍ର ସରକାର କମ୍ପାନି ଗୁଡ଼ିକୁ ନିର୍ଦେଶ ଦିଅନ୍ତୁ ବୋଲି ସୁପି୍ରମକୋର୍ଟ କହିଛନ୍ତି।
ଇ-କେଓ୍ଵାଇସି ଯାଞ୍ଚ ବ୍ୟବସ୍ଥା ଅନୁଯାୟୀ ଗ୍ରାହକଙ୍କୁ ଆସନ୍ତାବର୍ଷ ଫେବ୍ରୁଆରି ୬ ତାରିଖ ସୁଦ୍ଧା ସେମାନଙ୍କର ଆଧାର ନମ୍ବରକୁ ମୋବାଇଲ ନମ୍ବର ସହିତ ଯୋଡ଼ିବାକୁ ହେବ ବୋଲି ଗତକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ସେହିଭଳି ବ୍ୟାଙ୍କରେ ନୂଆ ଆକାଉଣ୍ଟ ଖୋଲିବା ଲାଗି ଆଧାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ମଧ୍ୟ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/sc.jpg)