ବ୍ୟାଙ୍କ, ମୋବାଇଲ୍ ସହ ଆଧାର ଲିଙ୍କ୍ ସ୍ଥଗିତ
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମ କୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା
ନୂଆଦିଲ୍ଲୀ : ବ୍ୟାଙ୍କ ଖାତା, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ସହିତ ଆଧାର ଲିଙ୍କ୍ ଅବଧିକୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଆଧାର ଲିଙ୍କ୍ ସ୍ଥଗିତ ରହିବ ବୋଲି ଆଜି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଆଧାର ଲିଙ୍କ୍ ମେସେଜ୍କୁ ନେଇ ବିବ୍ରତ ଥିବା କୋଟି କୋଟି ଭାରତୀୟଙ୍କୁ ଆଶ୍ୱସ୍ତ କରିଛି।
ଆଧାରର ସାମ୍ବିଧାନିକ ବୈଧତାକୁ ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ତେବେ ଆଧାର ନିୟମର ଧାରା ୭ରେ ଯେଉଁ ସବୁ ସେବା ଏବଂ ସବ୍ସିଡି ରହିଛି, ସେଥିପାଇଁ ଏହି ନିର୍ଦେଶ ଲାଗୁ ହେବ ନାହିଁ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ କେ ସିକ୍ରି, ଜଷ୍ଟିସ ଏଏମ୍ ଖାନଓ୍ଵିଲକର୍, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ଜଣିଆ ସମ୍ବିଧାନ ପୀଠରେ ଶୁଣାଣି ଆରମ୍ଭ ହୋଇଛି। ଏବେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହା ପରେ ସରକାର ତାଙ୍କ ପକ୍ଷ ରଖିବେ। ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ। ଏହି ପ୍ରକ୍ରିୟା ଚଳିତ ମାସ ଭିତରେ ଶେଷ ହେବାର ସମ୍ଭାବନା ବହୁତ କମ୍ ଥିବାରୁ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଆଧାର ଲିଙ୍କ୍ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ।
ଆଧାର ଲିଙ୍କ୍ର ଅବଧିକୁ ପୂର୍ବରୁ ସରକାର ଅନେକ ଥର ବଦଳାଇଛନ୍ତି। ଶେଷ ଥର ପାଇଁ ସରକାର ଜଣାଇଥିଲେ ଯେ ୨୦୧୮ ମାର୍ଚ ୩୧ ସୁଦ୍ଧା ବ୍ୟାଙ୍କ ଖାତା, ମୋବାଇଲ୍ ନମ୍ବର ଏବଂ ଅନ୍ୟ ଆର୍ଥିକ ସେବା ସହିତ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ଏହି ସମୟ ସୀମା ଆଉ ବଦଳିନଥିଲା। ସୁପ୍ରିମକୋର୍ଟ ଆଜି ସେହି ସମୟ ସୀମାକୁ ହଟାଇ ଦେଇଛନ୍ତି। ଗତ ସପ୍ତାହରେ, ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ କୋର୍ଟଙ୍କୁ ଜଣାଇଥିଲେ ଯେ ଆମେ ପୂର୍ବରୁ ଅନେକ ଥର ଆଧାର ଲିଙ୍କ ଅବଧି ବଢ଼ାଇଛୁ ଏବଂ ଦରକାର ପଡ଼ିଲେ ଆଗାମୀ ଦିନରେ ମଧ୍ୟ ବଢ଼ାଇବୁ।
ମାର୍ଚ ୩୧ ସୁଦ୍ଧା ବ୍ୟାଙ୍କ ଖାତା ଏବଂ ମୋବାଇଲ୍ ନମ୍ବର ସହ ଆଧାର ଲିଙ୍କ୍ କରାଇବାକୁ ବ୍ୟାଙ୍କ ଏବଂ ମୋବାଇଲ୍ କଂପାନିଗୁଡ଼ିକ ଗ୍ରାହକମାନଙ୍କ ପାଖକୁ ଘନ ଘନ ମେସେଜ୍ ପଠାଉଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ସେହି ଲୋକମାନଙ୍କୁ ଆଶ୍ୱସ୍ତ କରିବ। କୋର୍ଟଙ୍କ ନିର୍ଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ସୁପ୍ରିମକୋର୍ଟ ଆଗକୁ କିଛି ନକହିବା ପର୍ଯ୍ୟନ୍ତ ଆଧାର ଲିଙ୍କ୍ କରାଇବାକୁ ପଡ଼ିବନି। ଯେଉଁମାନେ ଆଧାର ଲିଙ୍କ୍ କରାଇନାହାନ୍ତି ସେମାନେ ମୋବାଇଲ୍ କଂପାନି କିମ୍ବା ବ୍ୟାଙ୍କର ମେସେଜ୍କୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ।