ପ୍ଲାଷ୍ଟିକ ଆଧାର କାର୍ଡ ଚଳିବନି : ୟୁଆଇଡିଏଆଇ

ନୂଆଦିଲ୍ଲୀ: ପ୍ଲାଷ୍ଟାକ୍‌ ବା ପିଭିସିରେ ପ୍ରିଣ୍ଟ ହୋଇଥିବା ଆଧାର କାର୍ଡ ଗ୍ରହଣୀୟ ନୁହେଁ ବୋଲି ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କେତେକ ଦୋକାନୀ ପ୍ଲାଷ୍ଟିକରେ ଆଧାରକାର୍ଡ ପ୍ରିଣ୍ଟ କରୁଥିବା ଖବର ମିଳିବା ପରେ ୟୁଆଇଡିଏଆଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ ପ୍ଲାଷ୍ଟିକ ବା ପିଭିସିରେ ଛପା ହେଉଥିବା ଆଧାର କାର୍ଡ ବ୍ୟବହାରଯୋଗ୍ୟ ନୁହେଁ କାରଣ ପ୍ରିଣ୍ଟିଂ ବେଳେ ଏହାର କ୍ୟୁଆର୍‌ କୋଡ୍‌ ଖରାପ ହୋଇଯାଉଛି । ପୁଣି ଏହା ଦ୍ୱାରା ଆଧାର ତଥ୍ୟ ଅନ୍ୟମାନଙ୍କ ପାଖକୁ ଚାଲିଯିବାର ଆଶଙ୍କା ରହିଛି । ଏହା ସହିତ ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ସମୁଦାୟ ଆଧାର ଚିଠି ବା ସେଥିରୁ କଟାଯାଇଥିବା ଅଂଶ, ଡାଉନଲୋଡ୍‌ ହୋଇ ସାଧାରଣ କାଗଜରେ ପ୍ରିଣ୍ଟ ହୋଇଥିବା ଆଧାର କାର୍ଡ ଅଥବା ଏମଆଧାର ଆଦି ସମ୍ପୂର୍ଣ୍ଣ ଭାବେ ବୈଧ ରହିବ ।

ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ ପ୍ଲାଷ୍ଟିକରେ ଆଧାର କାର୍ଡ ଛପେଇ ଅନେକ ଦୋକାନୀ ବା ସଂସ୍ଥା କାର୍ଡ ପିଛା ୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଛନ୍ତି । ଏହାକୁ ସ୍ମାର୍ଟ ଆଧାର କାର୍ଡ କହି ଲୋକଙ୍କୁ ଭୁତଉଛନ୍ତି । ଲୋକମାନେ ଏପରି ଲୋକଙ୍କ କଥାରେ ପଡିବା ଉଚିତ ନୁହେଁ । କାରଣ ପ୍ଲାଷ୍ଟିକରେ ଛପା ହୋଇଥିବା ଆଧାରକାର୍ଡର କ୍ୟୁଆର୍‌ କୋଡ୍‌ ଖରାପ ହୋଇଯାଉଥିବାରୁ ଉକ୍ତ କାର୍ଡଟି ବ୍ୟବହାରଯୋଗ୍ୟ ହୋଇ ରହେ ନାହିଁ ।

ସମ୍ବନ୍ଧିତ ଖବର