ନୂଆଦିଲ୍ଲୀ: ଏଣିକି ଯଦି ଆପଣ ଆପଣଙ୍କର ଆଧାର କାର୍ଡରେ କୌଣସି ପ୍ରକାରର ସଂଶୋଧନ ଅଥବା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୧୮ ପ୍ରତିଶତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଦେବାକୁ ପଡ଼ିବ।

Advertisment

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଧାର କାର୍ଡରେ ନାମ, ଠିକଣା, ଫୋନ୍‌ନମ୍ବର, ଇ-ମେଲ୍‌ ଆଦି ସଂଶୋଧନ, ପରିବର୍ତ୍ତନ ଅଥବା ଅନ୍ତର୍ଭୁକ୍ତ କରିବାକୁ ହେଲେ ୨୫ ଟଙ୍କାର ଦେୟ ଦେବା ପାଇଁ ପଡୁଥିଲା। କିନ୍ତୁ, ଏବେ ୟୁନିକ୍‌ ଆଇଡେନ୍‌ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଏହି ସବୁ କାର୍ଯ୍ୟ ପାଇଁ ୨୫ ଟଙ୍କାର ଦେୟ ଉପରେ ଆଉ ଅତିରିକ୍ତ ୧୮ ପ୍ରତିଶତ ଜିଏସ୍‌ଟି ଧାର୍ଯ୍ୟ କରିଛନ୍ତି। ଫଳରେ ଏଣିକି ଆଧାର କାର୍ଡରେ ଥିବା ତଥ୍ୟରେ କୌଣସି ପ୍ରକାରର ସଂଶୋଧନ, ପରିବର୍ତ୍ତନ ଅଥବା ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିବା କାର୍ଡଧାରୀଙ୍କୁ ୨୫ ଟଙ୍କା ସହ ୧୮ ପ୍ରତିଶତ ଜିଏସ୍‌ଟି ବାବଦରେ ଆଉ ୪ଟଙ୍କା ୫୦ ପଇସା ଅଧିକ ଦେବାକୁ ହେବ। ଅର୍ଥାତ୍‌ ଏହି ସମସ୍ତ କାର୍ଯ୍ୟ ପାଇଁ ଏଣିକି ଦେବାକୁ ହେବ ୨୯ ଟଙ୍କା ୫୦ ପଇସା।

publive-image

ଏଥିସହ ୟୁଆଇଡିଏଆଇ କର୍ତ୍ତୃପକ୍ଷ ମଧ୍ୟ ଏ ସଂକ୍ରାନ୍ତରେ ଏକ ଅଭିଯୋଗ ଶୁଣାଣି ଫୋରମ୍‌ର ଆରମ୍ଭ କରିଛନ୍ତି। ଯାହାର ଟୋଲ୍‌ ଫ୍ରି (ନିଃଶୁଳ୍କ) ନମ୍ବର ୧୯୪୭ ରହିଛି। ଯଦି କେହି ଏବାବଦରେ ଆପଣଙ୍କ ଠାରୁ ଅଧିକ ଅର୍ଥ ଦାବି କରୁଥାଏ, ତେବେ ଆପଣ ଏହି ଟୋଲ୍‌ ଫ୍ରି ନମ୍ବରକୁ ଫୋନ୍‌କରି ଆପଣଙ୍କ ଅଭିଯୋଗ ଦାଖଲ କରିପାରିବେ। ଅଥବା [email protected] ଇମେଲ୍‌ ଆଡିରେ ଆପଣଙ୍କ ଲିଖିତ ଅଭିଯୋଗ ପଠାଇପାରିବେ। ଆପଣଙ୍କୁ ପରିଚୟ ବାବଦରେ ୟୁଆଇଡିଏଆଇ ପକ୍ଷରୁ ଧାର୍ଯ୍ୟ ୧୮ଟି ଦସ୍ତାବେଜ୍‌ ମଧ୍ୟରୁ ଯେ କୌଣସି ଗୋଟିଏ ଏବଂ ଠିକଣା ସଂପର୍କରେ ୩୫ଟି ଦସ୍ତାବେଜ୍‌ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରମାଣ ପତ୍ର ବାବଦରେ ଦେବାକୁ ହେବ। ନିକଟସ୍ଥ ଆଧାର କେନ୍ଦ୍ର, ବ୍ୟାଙ୍କ୍‌ ଶଖା ଅଥବା ଡାକ ଘରକୁ ଯାଇ ଏହି କାର୍ଯ୍ୟ ସଂପାଦନ କରିହେବ ବୋଲି ୟୁଆଇଡିଏଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

ତେବେ, ସଂପ୍ରତି ଆଧାର କାର୍ଡକୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବାଧ୍ୟତାମୂଳକ କରି ଦେଇଥିବା ବେଳେ, ଆଧାର କାର୍ଡରେ ସଂଶୋଧନ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରି ଦେଇଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।