ଆଧାର ଏକ ଗମ୍ଭୀର ମାମଲା, ଏଥିରେ ତ୍ରୁଟି ରହିଲେ ଗରିବ ଲୋକ ହଇରାଣ ହେବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଧାରର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣୀ ଗୁରୁବାରଦିନ ସମାପ୍ତ ହୋଇଛି । ଏ ସଂପର୍କରେ ନିଜ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି । ତେବେ ଆଧାର ଏକ ଗମ୍ଭୀର ମାମଲା, ଏଥିରେ ତ୍ରୁଟି ରହିଲେ ଗରିବ ଲୋକ ହଇରାଣ ହେବାର ଆଶଙ୍କା ରହିଛି ବୋଲି ସୁପ୍ରିମକୋର୍ଟ୍‌ କହିଛନ୍ତି ।

ଏହି ଶୁଣାଣିକୁ ଭାରତୀୟ ନ୍ୟାୟିକ ଇତିହାସରେ ୨ୟ ସର୍ବାଧିକ ସମୟ ଧରି ଚାଲିଥିବା ଶୁଣାଣି ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ । ଏହି ଶୁଣାଣି ଦୀର୍ଘ ୩୮ ଦିନ ଧରି ଚାଲିିଥିଲା । ତେବେ ସବୁଠାରୁ ଲମ୍ବା ସମୟଧରି ଚାଲିଥିବା ଶୁଣାଣି ହେଉଛି କେଶବାନନ୍ଦ ଭାରତୀ ମାମଲା ଯାହାକି ଦୀର୍ଘ ୬୮ ଦିନ ପାଇଁ ଚାଲିଥିଲା । ଆଧାରର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସାମାଜିକ କର୍ମୀ ଓ ବୁଦ୍ଧିଜୀବି ଯଥା କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି କେଏସ ପୁଟ୍ଟୁସ୍ୱାମୀ, ମାଗାସେସେ ପୁରସ୍କାର ବିଜେତା ଶାନ୍ତା ସିହ୍ନା, ଗବେଷକ କଲ୍ୟାଣୀ ସେନ ମେନନ ପ୍ରମୁଖ ପିଟିସନ ଫାଇଲ କରିଥିଲେ । ଏହା ନାଗରିକର ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ହାନୀ ପହଞ୍ଚାଉଛି ବୋଲି ସେମାନେ ଦର୍ଶାଇଥିଲେ । ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ୫ ଜଣିଆ ଖଣ୍ଡପୀଠ ଏସବୁ ଅଭିଯୋଗକାରୀଙ୍କୁ ଲିଖିତ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୀର୍ଘ ଚାରିମାସ ଧରି ଚାଲିଥିବା ଏହି ଶୁଣାଣି ବେଳେ ସରକାର ଆଧାରକୁ ମୋବାଇଲ ନମ୍ବର, ପ୍ୟାନକାର୍ଡ, ରାସନ କାର୍ଡ ଆଦି ସହ ଯୋଡିବା ନିଷ୍ପତ୍ତିକୁ ଠିକ ବୋଲି ଦର୍ଶାଇଥିଲେ । ତେବେ କୋର୍ଟ କହିଥିଲେ ଯେ ସରକାର କୋର୍ଟ ରାୟର ଭୁଲ ଅର୍ଥ ବାହାର କରି ଆଧାରକୁ ବାଧ୍ୟତାମୂଳକ କରିଛନ୍ତି ।

ସମ୍ବନ୍ଧିତ ଖବର