ନୂଆଦିଲ୍ଲୀ: ଆଧାର ଶବ୍ଦଟି କେବଳ ସାରା ଭାରତ ନୁହେଁ ବିଶ୍ୱବ୍ୟାପୀ ପରିଚିତି ହାସଲ କରିଛି । ଏଥିପାଇଁ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ୨୦୧୭ର ହିନ୍ଦି ଶବ୍ଦ ତାଲିକାରେ ଏହାକୁ ସ୍ଥାନ ଦିଆଯାଇଛି । ଏ ସଂପର୍କରେ ଜୟପୁର ଲିଟ୍ ଫେଷ୍ଟରେ ଘୋଷଣା କରାଯାଇଛି ।
ଗୋଟିଏ ବର୍ଷରେ ଯେଉଁ ଶବ୍ଦଗୁଡ଼ିକ ସର୍ବାଧିକ ଚର୍ଚ୍ଚାରେ ଥାଏ ସେଗୁଡ଼ିକୁ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଉକ୍ତ ବର୍ଷର ହିନ୍ଦୀ ଶବ୍ଦ ତାଲିକାରେ ରଖାଯାଏ । ଏହି ତାଲିକାରେ ରହିଥିବା ଅନ୍ୟ ହିନ୍ଦୀ ଶବ୍ଦ ଗୁଡ଼ିକ ହେଲା ନୋଟବନ୍ଦୀ, ସ୍ୱଚ୍ଛ, ବିକାଶ, ଯୋଗ ଓ ବାହୁବଳୀ । ଏହି ସବୁ ଶବ୍ଦଗୁଡିକ ଗତ ବର୍ଷ ସାରା ଭାରତରେ ଚର୍ଚ୍ଚାରେ ଥିଲା ।
ଆଧାର ପୂର୍ବରୁ ହିଁ ଏକ ହିନ୍ଦୀ ଶବ୍ଦ ଥିଲାବେଳେ ୟୁଆଇଡିଆଇ ପକ୍ଷରୁ ଏହାକୁ ଏକ ନୂଆ ଅର୍ଥ ପ୍ରଦାନ କରାଯାଇଥିଲା । ବର୍ଷସାରା ଆଧାରକୁ ନେଇ ବିବାଦ ଲାଗି ରହିଥିଲା । ସେହିପରି ନୋଟ ବନ୍ଦୀ ( ବିମୁଦ୍ରାୟନ)କୁ ନେଇ ସାରା ଦେଶରେ ଚହଳ ପଡିଥିଲା । ୨୦୧୬ ନଭେମ୍ବର ୮ରେ ସରକାର କରିଥିବା ନୋଟବନ୍ଦୀ ଘୋଷଣା ପରେ ୨୦୧୭ ସାରା ଲୋକମାନେ ଏଗା ଯୋଗୁଁ ହିନସ୍ତା ହୋଇଥିଲେ । ଅନ୍ୟପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ସ୍ୱଚ୍ଛ ଶବ୍ଦଟି ଚର୍ଚ୍ଚାରେ ରହିଥିଲା । ବାହୁବଳୀ ଫିଲ୍ମଟି ମଧ୍ୟ ପ୍ରବଳ ଲୋକପ୍ରିୟତା ପାଇଥିଲା । ଏହାଫଳରେ ବାହୁବଳୀ ଶବ୍ଦଟି ଲୋକପ୍ରିୟ ହୋଇଥିଲା ।