ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ହରାଇବାର ସପ୍ତାହେ ପରେ ଶିବସେନା ନେତା ଆଦିତ୍ୟ ଠାକରେ ବିଦ୍ରୋହୀ ଦଳର ନେତାଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ଫେରି ପାରିବେ। 'ପ୍ରକୃତ ଶିବସେନା' କିଏ ତାକୁ ନେଇ ସଂଗ୍ରାମ ଜାରି ରହିଥିବାବେଳେ ଆଦିତ୍ୟ ଠାକରେଙ୍କୁ ଉଦ୍ଧବ ଏବଂ ଏକନାଥ ସିନ୍ଦେ ଦଳର ସମନ୍ୱୟର ସମ୍ଭାବନା ବିଷୟରେ ପଚରାଯାଇଥିଲା।

Advertisment

ଏହାର ଉତ୍ତର ରଖି ଆଦିତ୍ୟ ଠାକରେ କହିଥିଲେ, ଯେଉଁମାନେ ଆମ ସହ ବିଶ୍ବାସଘାତକତା କରି ସିନ୍ଦେ ଗୋଷ୍ଠୀ ସହ ଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ କହିଛି ଯେ, ଯଦି ଆପଣ ଫେରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ କବାଟ ସବୁବେଳେ ଖୋଲା ରହିଛି। ଏହା ସହ ମହାରାଷ୍ଟ୍ରରେ ନୂଆ କରି ଗଢ଼ାଯାଇଥିବା ସରକାରଙ୍କୁ ବେଆଇନ ଏବଂ ଅସାମ୍ବିଧାନିକ ବୋଲି କହି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦଳର ବିଦ୍ରୋହୀ ବିଧାୟକମାନଙ୍କ ଉପରେ ଆଦିତ୍ୟ ଠାକୁରେ ବର୍ଷିଥିଲେ।

ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ହେବା ପୂର୍ବରୁ ଆଦିତ୍ୟ ଠାକରେ କହିଥିଲେ ଯେ, ଯେଉଁମାନେ ନିଜକୁ ବିଦ୍ରୋହୀ ବୋଲି କହୁଛନ୍ତି, ସେମାନେ ଏଠାରୁ ପଳାୟନ କରିଛନ୍ତି। ଯଦି ସେମାନେ ପ୍ରକୃତରେ ବିଦ୍ରୋହ କରିବାକୁ ଚାହାଁନ୍ତି, ସେମାନେ ଏଠାରେ ରହି ବିଦ୍ରୋହ କରିବା ଉଚିତ୍। ଇସ୍ତଫା ଦେବା ପରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍। ଦ୍ୱିତୀୟ ଫ୍ଲୋର ଟେଷ୍ଟ ସେତେବେଳେ ହେବ ଯେତେବେଳେ ସେମାନେ ଆମ ସାମ୍ନାରେ ବସି ଆମ ଆଖିରେ ଆଖି ମିଶାଇ କଥା ହେବେ।