ବିମାନବନ୍ଦରରେ ୩ ଘଣ୍ଟା ଆଗରୁ ପହଞ୍ଚିବାକୁ ପରାମର୍ଶ ଦେଲେ ଏୟାରପୋର୍ଟ ଅଧିକାରୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ବଢାଗଲା ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା | ସେଥିପାଇଁ ଦିଲ୍ଲୀ-ମୁମ୍ବାଇ ସହ ଅନ୍ୟ ବିମାନବନ୍ଦରରେ ସୁରକ୍ଷା ଵ୍ୟଵସ୍ଥାକୁ କଡାକଡି କରାଯିବା ସହ ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏଥିପାଇଁ ଯାତ୍ରୀମାନଙ୍କୁ ୩ ଘଣ୍ଟା ଆଗରୁ ବିମାନବନ୍ଦର ଆସିବାକୁ କୁହାଯାଇଛି | ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀ ୪ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଁଞ୍ଚିବାକୁ ଅନୁରୋଧ କରାଯାଇଛି | ସେହିପରି ଘରୋଇ ବିମାନ ପାଇଁ ୩ ଘଣ୍ଟା ଆଗରୁ ବିମାନବନ୍ଦରରେ ପହଞ୍ଚିବାକୁ ଏୟାରପୋର୍ଟ ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

ଅଗଷ୍ଟ ୧୦ ତାରିଖରୁ ୨୦ ଅଗଷ୍ଟ ଯାଏଁ ଏହି ସମୟ ଲାଗୁ କରିବାକୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।

କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ନିରାପତ୍ତା ପ୍ରୋଟକଲ୍‌ କଠୋର କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଏହି ନିରାପତ୍ତା ପରାମର୍ଶରେ କୁହାଯାଇଛି। ସମସ୍ତ ଭାରତୀୟ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ବିସିଏଏସ୍‌) ଜାରି କରିଥିବା ବିସ୍ତାରିତ ପରାମର୍ଶନାମାରେ ପରିମାର୍ଜିତ ଏବଂ କଠୋର କରାଯାଇଥିବା ନିରାପତ୍ତା ନିୟମାବଳୀ ପାଳନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର