ଓମିକ୍ରନ ଡର : ଏୟାରପୋର୍ଟରେ  କଟକଣା କଡ଼ାକଡ଼ି, ଲକ୍ଷଣ ଥିଲେ ବିମାନ ଯାତ୍ରା ମନା

ଭୁବନେଶ୍ବର : କରୋନାର  ଓମିକ୍ରନ ପ୍ରଜାତିକୁ   ଦୃଷ୍ଟିରେ ରଖି ଭାରତୀୟ ବିମାନ ପତ୍ତନ ପ୍ରାଧିକରଣ ବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏୟାରପୋର୍ଟଗୁଡ଼ିକ ପାଇଁ ସଂଶୋଧିତ କୋଭିଡ୍ ନିୟମାବଳୀ ଜାରି କରାଯାଇଛି । ଏଥିରେ କୋଭିଡ କଟକଣା ଓ ସ୍ବାସ୍ଥ୍ୟ ଯାଞ୍ଚକୁ କଡାକଡି କରିବାକୁ କୁହାଯାଇଛି ।

ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ କରାଯିବ । ଅନ୍ୟପକ୍ଷରେ ଘରୋଇ ବିମାନଯାତ୍ରୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପାଇଁ ଗାଇଡଲାଇନକୁ କିଛିଟା କୋହଳ କରାଯାଇଛି । ଘରୋଇ ବିମାନଯାତ୍ରୀଙ୍କୁ ଆରଟିପିସିଆର କିମ୍ବା ଆଣ୍ଟିଜେନ ରିପୋର୍ଟ ଅଥବା ଟିକା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ପଡ଼ିବ ନାହିଁ । ଫ୍ଲାଇଟରେ ବୋର୍ଡିଂ ବେଳେ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ ହେବ ଓ କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ବୋର୍ଡିଂ ଅନୁମତି ଦିଆଯିବ ।

ଅନ୍ୟପକ୍ଷରେ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗୁଡ଼ିକୁ ପ୍ରତିଦିନ ଏକ କୋଭିଡ ଗାଇଡଲାଇନ ପାଳନ ସଂପର୍କରେ ସ୍ବ-ଘୋଷଣାପତ୍ର ଫର୍ମ ଦାଖଲ କରିବେ । ଏହାସହିତ ଏୟାରପୋର୍ଟ ଛାଡ଼ିବା ସମୟରେ ଯାତ୍ରୀ ପିପିଇ କିଟ ଗୁଡ଼ିକୁ  ଉପଯୁକ୍ତ ଡଷ୍ଟବିନରେ ରଖିବା ସଂପର୍କରେ ଫ୍ଲାଇଟ ଭିତରେ ନିୟମିତ ଘୋଷଣା କରାଯିବ ।

ଫ୍ଲାଇଟ ଭିତରେ ଯାତ୍ରା କରୁଥିବାବେଳେ ଯାତ୍ରୀମାନେ  କୋଭିଡ ଆଚରଣବିଧି ପାଳନ କରିବେ । ଯଦି ଜ୍ବର ଆସିବା ସହ ତାପମାତ୍ରା ବୃଦ୍ଧି ଓ ଅନ୍ୟ ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ କ୍ୟାବିନ କ୍ରିଉଙ୍କୁ ଜଣାଇବାକୁ କୁହାଯାଇଛି । ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଯଦି ଯାତ୍ରୀଙ୍କ ଲକ୍ଷଣ ଦେଖାଗଲା ତେବେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ କିମ୍ବା ଜାତୀୟ ଅଥିବା ରାଜ୍ୟ କଲସେଣ୍ଟରକୁ ସୂଚୀତ କରିବେ ।

 

 

ସମ୍ବନ୍ଧିତ ଖବର