ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଆପ୍‌ ନେତା ଏବଂ କର୍ମୀମାନେ ଆଜି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛନ୍ତି। ଆଜି ଦିନକୁ ଆପ୍‌ ‘କଳା ଦିବସ’ ଭାବେ ପାଳନ କରିଛି। କଡ଼ା ସୁରକ୍ଷା ମଧ୍ୟରେ ଆଜି ଚଣ୍ଡିଗଡ଼, ଦିଲ୍ଲୀ, ଭୋପାଳ ଏବଂ ଅନ୍ୟ ସହରରେ ଆନ୍ଦୋଳନ ହୋଇଛି। ବିଜେପି ମୁଖ୍ୟାଳୟ ବାହାରେ ଆପ୍‌ ଏକ ବଡ଼ ଧରଣର ଆନ୍ଦୋଳନ ଡାକରା ଦେଇଥିବାରୁ ଆଜି ସକାଳୁ ବିଜେପି ମୁଖ୍ୟାଳୟ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ବିଜେପି ମୁଖ୍ୟାଳୟ ବାହାରେ ଆପ୍‌ କର୍ମୀ ଏବଂ ଦିଲ୍ଲୀ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ସମସ୍ତ ନିର୍ବାଚନମଣ୍ଡଳୀରେ ୨୦୦ରୁ ଅଧିକ ଲୋକ ଆଜି ଆନ୍ଦୋଳନ ପାଇଁ ରୁଣ୍ଡ ହେବାକୁ କୁହାଯାଇଥିଲା।

Advertisment

ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଆପ୍‌ର ୮୦ ପ୍ରତିଶତ ନେତାଙ୍କୁ ପୁଲିସ ଅଟକ ରଖିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଆପ୍‌ ନେତାମାନଙ୍କୁ ‌ରବିବାର ଅଟକ ରଖାଯାଇ ସୋମବାର ଛଡ଼ାଯାଇଛି ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ପୁଲିସ ରବିବାର ଦିନ ଆପ୍‌ ସାଂସଦ ସଂଜୟ ସିଂହ, ମନ୍ତ୍ରୀ ଗୋପାଳ ରାୟଙ୍କ ସମେତ ୫୦ ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ଆପ୍‌ ଅନୁଯାୟୀ ପୁଲିସ ଆପ୍‌ ନେତାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରୁଛି। ଆପ୍‌ ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦୀର୍ଘ ସମୟ ଧରି ନେତାଙ୍କୁ ଏଭଳି ଅଟକ ରଖିବା ବେଆଇନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଏମର୍ଜେନ୍ସି ସହ ଏହା ସମାନ।